କେନ୍ଦ୍ରାପଡା: ଅନ୍ଧବିଶ୍ୱାସ ପାଇଁ ଉଜୁଡ଼ିଗଲା ପରିବାର। ଗୁପ୍ତଧନ ପାଇବା ପାଇଁ ଗାତ ଖୋଳିଲା ବେଳେ ସେହି ଗାତରେ ପଡି ଘର ଚାଲିଗଲା ମାଲିକର ଜୀବନ। କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରୁ ଆସିଛି ଏହି ଦୁଃଖଦ ଖବର। ଘଟଣା ଘଟିବା ପରେ ଜୀବନ ବଞ୍ଚାଇ ଖସିଗଲା ମୁଖ୍ୟ ଗୁଣିଆ। କିନ୍ତୁ ଲୋକଙ୍କ ହାତରେ ଧରାପଡିଗଲେ ଗୁଣିଆର ଦୁଇ ସହଯୋଗୀ। ଘରର ମୁଖ୍ୟ ଜଗବନ୍ଧୁଙ୍କ ଅକାଳ ମୃତ୍ୟୁ ପରେ ଏବେ ସାରା ଗାଁରେ ଶୋକର ପରିବେଶ ସ୍ତୃଷ୍ଟି ହୋଇଛି l
ମାଟି ତଳେ ପୋତି ହୋଇଥିବା ପ୍ରାଣ ହରାଇଛନ୍ତି ଜଗବନ୍ଧୁ ମହାରଣା ନାମକ ଜଣେ ବ୍ୟକ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା। ଜଗବନ୍ଧୁଙ୍କ ଘର ଭିତରେ ମାଟି ତଳେ ସୁନାମୁଣ୍ଡା ପୋତି ହୋଇ ରହିଥିବା ନେଇ ଗୁଣିଆ କହିବା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ସଂକ୍ରାନ୍ତି ଦିନ ମାଟିତଳୁ ମୂଲ୍ୟବାନ୍ ସମ୍ପତ୍ତି ବାହାରିବା ନେଇ ଗୁଣିଆ ତିଥି ବାର ଧାର୍ଯ୍ୟ କରିଥିଲା। ସନ୍ଧ୍ୟା ୫ଟାରେ ଗୁଣିଆ ଓ ତାର ଦୁଇ ସହଯୋଗୀ ଜଗବନ୍ଧୁଙ୍କ ଘରେ ପହଞ୍ଚି ମଝି ଦୁଆର ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଗବନ୍ଧୁ ପ୍ରାୟ ୧୦ ଫୁଟ ଗଭୀର ଗାତ ଖୋଳିବା ପରେ ହଠାତ୍ ତାଙ୍କ ଉପରେ ମାଟି ଧସି ପଡିଥିଲା, ଯାହା ଫଳରେ ଅକାଳରେ ତାଙ୍କ ଜୀବନ ଯାଇଛି।
ସେପଟେ ଘଟଣାକୁ ନେଇ ପଡ଼ୋଶୀଙ୍କ କହିବା କଥା ଗତ ଏକ ମାସ ଧରି କବାଟ ବନ୍ଦ କରି ଗୁଣିଆ ଜଗବନ୍ଧୁଙ୍କ ଘରେ ପୂଜା ପାଠ ଚଳାଇଥିଲା। କଟକ ଜିଲା ନେମାଳ ଅଂଚଳରୁ ଆସିଥିବା ଏହି ଗୁଣିଆ ଜଗବନ୍ଧୁଙ୍କ ଠାରୁ, ୫୦ ହଜାରରୁ ଅଧିକ ଟଙ୍କା ନେଇଥିବା ଜଣାପଡିଛି। ତେବେ ଘଟଣା ଘଟିବା ପରେ ମୁଖ୍ୟ ଗୁଣିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ହେଲେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଥିଲେ ଗୁଣିଆର ଅନ୍ୟ ଦୁଇ ସହଯୋଗୀ। ପୋଲିସ ସେମାଙ୍କୁ କାବୁ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତ ଜଗବନ୍ଧୁଙ୍କ ପଡୋଶୀ।
ଅଧିକ ପଢନ୍ତୁ: କିସ୍ ଛାତ୍ର ମୃତ୍ୟୁ ମାମଲାରେ ଭିନ୍ନ ମୋଡ଼: ତଣ୍ଟି ଚିପି କରାଯାଇଛି ହତ୍ୟା, ୩ ଅଟକ