ଭଦ୍ରକ: ପୁଣି ନିଆରା ରୂପରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କୁ ଦେଖିବାକୁ ମିଳିଛି । ନିଜର ସାଧାରଣ ବ୍ଯକ୍ତିତ୍ବ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଆଜି ରାସ୍ତାରେ ସାଇକେଲ ଚଢି ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ଜଣେ ଆଇଏଏସ ଅଫିସର ପରି ନୁହେଁ ବରଂ ଅତି ସାଧାରଣ ମଣିଷଙ୍କ ପରି ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ। ତେବେ ଆଜି ଦ୍ବିତୀୟ ଥର ଲାଗି ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।
ତାଙ୍କର ଏହି ନିଆରା କାର୍ଯ୍ୟ ପାଇଁ ଗଣମାଧ୍ୟମର ପ୍ରଶ୍ନରେ ଜିଲ୍ଲାପାଳ କହିଛନ୍ତି ଯେ, ସାଇକେଲରେ ଆସିଲେ ଶରୀର ସୁସ୍ଥ ରହିବ। ସହ ପରିବେଶ ସୁରକ୍ଷିତ ରହିବ । ଯେଉଁଦିନ ସୁବିଧା ହେବ ସେ ଏପରି କାର୍ଯ୍ୟାଳୟକୁ ସାଇକେଲରେ ଆସିବେ। ଏଥିସହ ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ଅନ୍ୟ ଅଧିକାରୀ ମାନେ ମଧ୍ଯ ଏଥିରୁ ପ୍ରେରିତ ହୁଅନ୍ତୁ ଏବଂ ସେମାନେ ବି ସାଇକେଲରେ ଅଫିସ୍ ଆସନ୍ତୁ।
ଜିଲ୍ଲାବାସୀଙ୍କୁ ଏକଥା ମଧ୍ୟ କହିଛନ୍ତି ଜିଲ୍ଲାପାଳ , ଘର ଆଖପାଖକୁ ଗାଡିରେ ଯିବା ବଦଳରେ ଚାଲିକି କିମ୍ବା ସାଇକେଲରେ ଯାଇପାରିବେ । ଏହାଦ୍ବାରା ଏକ୍ସରସାଇଜ୍ ହେବ । ପୂର୍ବରୁ ବିଶ୍ବ ସାଇକେଲ୍ ଦିବସରେ ଜିଲ୍ଲାପାଳ ନିଜ ଆବାସିକ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।
ସୂଚନାଥାଉକି,ପୂର୍ବରୁ ହାଫ୍ ପ୍ୟାଣ୍ଟ ପିନ୍ଧା ଚାଷୀ ବେଶରେ ମଣ୍ଡି ତନଖି କରିଥିଲେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ । ମଣ୍ଡିରେ ଏଫଏକ୍ୟୁ ମାନର ଧାନ କିଣା ନେଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ଚାଷୀ ବେଶରେ ମଣ୍ଡିରେ ପହଁଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ଏଥିସହ ସମ୍ପୃକ୍ତ ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସମ୍ପୃକ୍ତ ସୋସାଇଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସଙ୍କୁ ନିର୍ଦେଶ ମଧ୍ଯ ଦେଇଥିଲେ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ ପୁଳାପୁଳା ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା।