ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବା ପରେ ମାନସିକ ଅବସାଦର ଚରମ ଅବସ୍ଥାରେ ପହଁଚିଛି । ଶେଷ ଅବସ୍ଥାରେ କଂସକୁ ଚାରିଆଡ଼େ ଯେମିତି କୃଷ୍ଣ କୃଷ୍ଣ ଦିଶୁଥିଲା । ସେମିତି ବିଜୁ ଜନତା ଦଳକୁ ଏବେ ଖାଲି ମୋହନ ମୋହନ ଦିଶୁଛି । ବିଜେଡ଼ି ଦଳ ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ଦଳ ବୋଲି କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ବିରଞ୍ଚି ତ୍ରିପାଠୀ ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେଇ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ପଚାରିଥିବା ପ୍ରଶ୍ନର କଡ଼ା ଜବାବ ରଖିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ବିଜେଡ଼ିକୁ କଟୁ ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବିଜେଡ଼ିର ପ୍ରଶ୍ନକର୍ତ୍ତାମାନଙ୍କୁ ମନେ ପକେଇ ଦେବାକୁ ଚାହେଁ, ଓଡ଼ିଶାବାସୀଙ୍କୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସାଇଛନ୍ତି । ଗତ 17 ମାସରେ ଯେତେବେଳେ ବିଧାନସଭା ଅଧିବେଶନ ହୋଇଛି, ସେତେବେଳେ ତାଙ୍କ ଦଳର ନେତା, ଉପନେତା ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧିତ କେତେଟା ପ୍ରଶ୍ନ ଉଠାଇଛନ୍ତି ତାର ଜବାବ ଦରକାର । ଓଡ଼ିଶା ସରକାର ଲୋକଙ୍କ ସରକାର, ଲୋକଙ୍କ ବିକାଶ ପାଇଁ ଲାଗିଛି । କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରୁଛନ୍ତି । ସେ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ପାଇଁ ବଙ୍ଗଳା ପାଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଚାଲିବା ପାଇଁ ଓଡ଼ିଶା ସମେତ 8ଟା ରାଜ୍ୟ ସରକାରୀ କାର୍ଯ୍ୟାଳୟ ପାଇଛନ୍ତି । ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଆସାମ, ମହାରାଷ୍ଟ୍ର ଓ ରାଜସ୍ଥାନ ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିବା ବିଜୁ ଜନତା ଦଳର ପୂର୍ବ କଥାକୁ ମନେ ପକେଇ ଦେଇଛନ୍ତି । ଅର୍ଥାତ୍ ବିରଞ୍ଚି ନବୀନ ନିବାସ ନିର୍ମାଣ କଥାକୁ ମନେ ପକାଇ ଦେଇଛନ୍ତି । ତାଙ୍କର ଦଳରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କର ବ୍ୟକ୍ତିଗତ ବାସଭବନ ପାଇଁ ସର୍ବସାଧାରଣ ରାସ୍ତାକୁ ବନ୍ଦ କରି ବ୍ୟାରିକେଡ୍ କରି ଘର ସହିତ ମିଶାଇଥିଲେ । ସେହିପରି ଏୟାରପୋର୍ଟ ପାଚେରୀକୁ ମଧ୍ୟ ଭାଙ୍ଗି ଥିଲେ । ପାଣ୍ଡିଆନଙ୍କ ନାଁ ନେଇ ବିରଞ୍ଚି କହିଛନ୍ତି, ବିଜେଡ଼ିର ଗୁମାସ୍ତା ଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ କେତେ ଅଧିକାରୀ ନିଯୁକ୍ତି ହେଉଥିଲେ ତାହାର ଜବାବ ମାଗିଛନ୍ତି ବିରଞ୍ଚି ।
ବିଜେଡ଼ି ଦଳ ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ଦଳ ବୋଲି କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ବିରଞ୍ଚି । ବିଜେଡ଼ି ମାନସିକ ଭାରସାମ୍ୟ ହରାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡ଼ି ଓଡ଼ିଶା ରାଜନୀତିରୁ ସମାପ୍ତ ହେବାକୁ ଥିବାରୁ ହତାସ ହୋଇ ବାଚଳାମୀ ଆରମ୍ଭ କରିଥିବା ସେ କହିଛନ୍ତି । ବିଜେଡ଼ିର ନେତା, ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ବିଜେପି ମୁହାଁ ହୋଇଛନ୍ତି । ତେଣୁ ଗଣମାଧ୍ୟମରେ ରହିବାକୁ ବିଜେଡ଼ି ବାଚଳାମୀ କରୁଛି ।