ନୂଆଦିଲ୍ଲୀ: ଭାରତୀୟ ଦଳ ୨୦୨୪ ନିଜର ଘରୋଇ ସିଜିନର ଆରମ୍ଭ ଦମଦାର ଭାବେ କରିଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୩-୨୫ ଅନ୍ତର୍ଗତରେ ଖେଳା ଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇଛି । ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮୦ ରନରେ ବାଂଲାଦେଶକୁ ହରାଇଛି । ଏହି ବିଜୟରେ ଭାରତୀୟ ଦଳକୁ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାରେ ବମ୍ପର ଫାଇଦା ମିଳିଥିବା ବେଳେ ବାଂଲାଦେଶକୁ ଝଟକା ଲାଗିଛି ।
ଭାରତୀୟ ଦଳ କ୍ରମାଗତ ପଞ୍ଚମ ଟେଷ୍ଟ ସିରିଜ ଘରୋଇ ମାଟିରେ ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମରୁ ହିଁ ଡବ୍ଲ୍ୟୁଟିସିର ଅଙ୍କ ତାଲିକାରେ ଶୀର୍ଷରେ ରହିଛି । ଆଉ ଆଜିର ବିଜୟରେ ଦଳର ସ୍ଥିତି ଆହୁରି ମଜବୁତ ହୋଇଛି । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ବିଜୟ ପ୍ରତିଶତ ୬୮.୫୨ ପ୍ରତିଶତ ରହିଥିଲା । କିନ୍ତୁ ଏବେ ବିଜୟ ପ୍ରତିଶତ ୭୧.୬୭ରେ ପହଞ୍ଚିଛି । ଦ୍ୱିତୀୟରେ ୬୨.୫୦ ପ୍ରତିଶତ ସହ ଅଷ୍ଟ୍ରେଲିଆ ରହିଛି । ତୃତୀୟରେ ୫୦ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ରହିଛି । ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି । ତେଣୁ ଏହି ଦୁଇ ଦଳର ପଏଣ୍ଟ ଟେବୁଲରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।
ପ୍ରଥମ ଟେଷ୍ଟ ପୂର୍ବରୁ ବାଂଲାଦେଶ ୪୫.୮୩ ବିଜୟ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ଥିଲା । ମାତ୍ର ପରାଜୟ ପରେ ଦଳର ବିଜୟ ପ୍ରତିଶତ ୩୯.୨୮ ପ୍ରତିଶତ ସହ ଦଳ ଷଷ୍ଠ ସ୍ଥାନକୁ ଖସି ଆସିଛି । ଭାରତର ବିଜୟ ଏବଂ ବାଂଲାଦେଶର ପରାଜୟର ଫାଇଦା ଶ୍ରୀଲଙ୍କା ଓ ଇଂଲଣ୍ଡକୁ ମିଳିଛି । ଶ୍ରୀଲଙ୍କା ଚତୁର୍ଥ ସ୍ଥାନକୁ ପହଞ୍ଚିଥିବା ବେଳେ ଦଳର ବିଜୟ ପ୍ରତିଶତ ୪୨.୮୬ ପ୍ରତିଶତ ରହିଛି । ଇଂଲଣ୍ଡ ୪୨.୧୯ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛି ।