ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ଠାରୁ ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିମୟରେ ଖେଳାଯାଇଛି। ଏହି ମୁକାବିଲାରେ ଭାରତ ବାଂଲାଦେଶକୁ ୨୮୦ ରନ୍ରେ ପରାସ୍ତ କରିଛି। ଚେନ୍ନାଇରେ ରବିଚନ୍ଦ୍ରନ ଅଶ୍ବିନ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ଭଲ ପ୍ରଦର୍ଶନ କରି ଭାରତର ବିଜୟକୁ ସୁନିଶ୍ଚିତ କରିଛନ୍ତି।
ମୁକାବିଲାରେ ଭାରତ ବାଂଲାଦେଶକୁ ବିଜୟ ପାଇଁ ୫୧୫ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଟସ୍ ଜିଣି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବ ଭାରତୀୟ ଟିମ୍ ବ୍ୟାଟିଂ କରିଥିଲା। ଭାରତର ପ୍ରଥମ ପାଳିରେ ପ୍ରାରମ୍ଭିକ ବ୍ୟାଟରମାନେ ବିପର୍ଯ୍ୟୟର ଶିକାର ହୋଇଥିଲେ। କିନ୍ତୁ ମଧ୍ୟ ଓ ଶେଷ କ୍ରମର ଖେଳାଳିମାନେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମ ପାଳିରେ ୩୭୬ ରନ୍ ସଂଗ୍ରହ କରିଥିଲା। ଦ୍ବିତୀୟ ପାଳିରେ ୨୮୭ ରନ୍ରେ ପାଳି ଘୋଷଣା କରିଥିଲା।
ଅପରପକ୍ଷେ ବାଂଲାଦେଶ ପ୍ରଥମ ପାଳିରେ ୧୪୯ ଓ ଦ୍ବିତୀୟ ପାଳିରେ ୨୩୪ ରନ୍ରେ ଅଲଆଉଟ ହୋଇଥିଲା। ଫଳରେ ବାଂଲାଦେଶ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୨୮୦ ରନ୍ରେ ପରାସ୍ତ ହୋଇଛି।
ଭାରତ ପାଇଁ ଏହି ଶୃଙ୍ଖଳାରେ ରବିଚନ୍ଦ୍ରନ ଅଶ୍ବିନ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଭାରତର ବ୍ୟାଟିଂ ପାଳିରେ ସେ ଶତକ ହାସଲ କରିଥିବା ବେଳେ ବୋଲିଂ ପାଳିରେ ୬ ଜଣ ବାଂଳାଦେଶୀ ଖେଳାଳିଙ୍କୁ ଆଉଟ୍ କରିଛନ୍ତି।
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଟେଷ୍ଟରେ ହୋଇପାରେ ବଡ ପରିବର୍ତ୍ତନ