ନୂଆଦିଲ୍ଲୀ: ଚେନ୍ନାଇରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ସହଜରେ ଜିତି ନେଇଥିଲା । ଏବେ କାନପୁରରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ଭାରତୀୟ ଦଳ ୨୦୧୨ରେ ଇଂଲଣ୍ଡଠୁ ମିଳିଥିବା ପରାଜୟ ପରେ ଘରୋଇ ମାଟିରେ ଦମଦାର ପ୍ରଦର୍ଶନ କରି ଆସିଛି । କାନପୁରରେ ଏହି ବିଜୟ କାଏମ ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ମାତ୍ର ଧିମା ଓ ସ୍ପିନ ଉପଯୋଗୀ ପିଚରେ ବାଂଲାଦେଶର ସ୍ପିନ ବୋଲର ଶାକିବ ଅଲ ହସନ, ମେହଦି ହସନ ମିରାଜ ଓ ତୈଜୁଲ ଇସଲାମ ଭାରତୀୟ ବ୍ୟାଟଙ୍କ ପାଇଁ ମୁସ୍କିଲ ସ୍ଥିତି ସୃଷ୍ଟି କରି ପାରନ୍ତି । ତେଣୁ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ରଣନୀତିରେ କିଛିଟା ପରିବର୍ତ୍ତନ କରିବାକୁ ପଡିପାରେ ।
ଦଳରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଦୁଇ ମୁଖ୍ୟ ସ୍ପିନର ରହିଛନ୍ତି । ମାତ୍ର ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଅକ୍ଷର ପଟେଲଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇପାରେ । କୁଲଦୀପ ଯାଦବଙ୍କ ବୋଲିଂରେ ବିବିଧତା ଓ ବାଂଲାଦେଶ ବିପକ୍ଷରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ଦେଖି ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ ।
ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସିରାଜଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । ସିରାଜ ନିକଟରେ ନିଜ ବୋଲିଂରେ ସକରାତ୍ମକ ସୁଧାର କରିଛନ୍ତି, ମାତ୍ର ଚେନ୍ନାଇ ଟେଷ୍ଟରେ ଆକାଶ ଦୀପ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଆକାଶ ଗତି ଏବଂ ସଠିକ ଲାଇନରେ ବୋଲିଂ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି । ତେଣୁ କାନପୁର ଟେଷ୍ଟରେ ତାଙ୍କୁ ଖେଳିବାର ସୁଯୋଗ ମିଳିପାରେ ।
ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସମ୍ଭାବନା ବହୁତ କମ ରହିଛି । ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ ଓ ୱିକେଟ୍ କିପର ଋଷଭ ପନ୍ତ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । କିନ୍ତୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ତଥାପି ଭାରତୀୟ ବ୍ୟାଟିଂ କ୍ରମ କାନପୁର ଟେଷ୍ଟରେ ଅପରିବର୍ତ୍ତିତ ରହିପାରେ ।
ବାଂଲାଦେଶ ବିପକ୍ଷରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଆକାଶ ଦୀପ, ଯଶପ୍ରୀତ ବୁମରା ।