ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ରାଙ୍କିଂ ଜାରି କରିଛି । ଟେଷ୍ଟ ବ୍ୟାଟର ତାଲିକାରେ ଯଶସ୍ୱୀ ଜୟସ୍ୱାଲ ଟପ୍-୫ରେ ଏଣ୍ଟ୍ରି କରିଛନ୍ତି । ସେ ୭୫୧ ରେଟିଂ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ଯଶସ୍ୱୀ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଫାଇଦା ମିଳିଛି । ସେ ପୁଣି ଥରେ ଟପ୍-୧୦ରେ ପ୍ରବେଶ କରିଛନ୍ତି । ସେ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ୩୯ ଓ ଦ୍ୱିତୀୟ ଇନିଂସରେ ୧୦୯ ରନ କରିଥିଲେ ।
ଅନ୍ୟପଟେ ଦୁଇ ତାରକା ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ କ୍ଷତି ସହିବାକୁ ପଡିଛି । କୋହଲି ପାଞ୍ଚଟି ସ୍ଥାନ ତଳକୁ ଖସି ୧୨ମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୦୯ ଅଙ୍କ ରହିଛି । ପ୍ରଥମ ଟେଷ୍ଟରେ ମୋଟ୍ ୧୩ ରନ କରିଥିଲେ । ରୋହିତ ଶର୍ମା ମଧ୍ୟ ୫ଟି ସ୍ଥାନ ତଳକୁ ଖସି ୧୦ମରେ ରହିଛନ୍ତି । ରୋହିତଙ୍କ ରେଟିଂ ପଏଣ୍ଟ ୭୧୬ ଅଙ୍କ ରହିଛି । ଜୋ ରୁଟ୍ ୮୯୯ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ କେନ ୱିଲିୟମସନ ୮୫୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି ।
ବୋଲିଂ ମାନ୍ୟତାରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ଟପ୍-୧୦ରେ ପ୍ରବେଶ କରିଛନ୍ତି । ୭୪୩ ରେଟିଂ ପଏଣ୍ଟ ସହ ସେ ଅଷ୍ଟମ ସ୍ଥାନକୁ ଉଠିଛନ୍ତି । ଭାରତର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ(୮୭୧) ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଯଶପ୍ରୀ ବୁମରା(୮୫୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ଟେଷ୍ଟରେ ଅଶ୍ୱିନ ୬ ଏବଂ ବୁମରା ୫ ୱିକେଟ୍ ଅକ୍ତିକାର କରିଥିଲେ ।