ଗ୍ୱାଲିୟର: ଭାରତ ଓ ବାଂଲାଦେଶ ମ୍ୟାଚ୍ ଦିନ ମଧ୍ୟପ୍ରଦେଶର ଗ୍ୱାଲିୟରରେ ବନ୍ଦ ଘୋଷଣା । ହିନ୍ଦୁ ମହାସଭା ପଡୋଶୀ ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଭାରତ-ବାଂଲାଦେଶ ଟି-୨୦ ମ୍ୟାଚ୍ ଦିନ ଗ୍ୱାଲିୟରେ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ଟି-୨୦ ମ୍ୟାଚ୍ ଗ୍ୱାଲିୟରରେ ଖେଳାଯିବ ।
ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟବୀର ଭରଦ୍ୱାଜ ସୋମବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ, ହିନ୍ଦୁ ମହାସଭା ଅକ୍ଟୋବର ୬ ତାରିଖରେ ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ଗ୍ୱାଲିୟରରେ ବନ୍ଦ ଡାକରା ଦିଆଯାଇଛି । ସେ କହିଛନ୍ତି, ବାଂଲାଦେଶରେ ଏବେ ବି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ଏମିତି ସମୟରେ ବାଂଲାଦେଶ ସହ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ । ବନ୍ଦ ଡାକରା ଦିନ ଅତ୍ୟାବଶ୍ୟକ ବସ୍ତୁ ଓ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
ଭରଦ୍ୱାଜ ତିରୁପତି ବାଲାଜୀ ମନ୍ଦିରରେ ଲଡୁରେ ଅପମିଶ୍ରଣକୁ କରୁଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରରେ ଆୟୋଜିତ ଅଭିଷେକ ସମାରୋହରେ ମଧ୍ୟ ଏହି ଲଡୁ ବଣ୍ଟା ଯାଇଥିଲା । ଏହି ଘଟଣା ହିନ୍ଦୁ ସମୁଦାୟଙ୍କ ଭାବାବେଗକୁ ଆଘାତ ଦେଇଛି । ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି । ଭାରତ ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଜିତି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । କାନପୁରରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।