ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଚେନ୍ନାଇରେ ଭାରତୀୟ ଦଳର ବିଜୟ ପରେ କାନପୁରରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । କାନପୁରରେ ସେପ୍ଟେମ୍ବର ୨୭ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଚୟନକର୍ତ୍ତା ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଦଳ ଦ୍ୱିତୀୟ ମ୍ୟାଚରେ ଅପରିବର୍ତ୍ତିତ ରହିଛି ।
ଚୟନକର୍ତ୍ତା ରବିବାର ୧୬ ଜଣିଆ ଦଳ ଘୋଷଣା କରିଛି । ଗତକାଲି ପର୍ଯ୍ୟନ୍ତ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଦ୍ୱିତୀୟ ଟେଷ୍ଟରେ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ । ଦଲୀପ ଟ୍ରଫିରେ ଦମଦାର ଶତକ ଅର୍ଜନ କରିଥିବା ଇଶାନ କିଶନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇପାରେ । ଏପରିକି ତାରିକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିପାରେ । ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ବାଦ୍ ଦିଆଯାଇ ୧୫ ଜଣିଆ ଦଳ ଘୋଷଣା ହୋଇପାରେ ।
ତେବେ ବିସିସିଆଇ ଚେନ୍ନାଇ ଟେଷ୍ଟର ବିଜୟ ତୁରନ୍ତ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । ଆଉ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସେହି ସମାନ ୧୬ ଜଣିଆ ଦଳ କାନପୁର ଟେଷ୍ଟ ପାଇଁ ଘୋଷିତ ହୋଇଛନ୍ତି ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ୱିକେଟ୍ କିପର), ଧ୍ରୁବ ଜୁରେଲ(ରିଜର୍ଭ ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ ।