ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଜିତି ଭାରତ ନିଜ ନାମରେ ଅନେକ ରେକର୍ଡ କରିଛି । ଏହା ସହିତ ଗତ ୧୨ ବର୍ଷ ଧରି ନିଜ ଘରୋଇ ମାଟିରେ ବିଜୟର ପରମ୍ପରାକୁ ବଜାୟ ରଖି ପାରିଛି ରୋହିତ ବାହିନୀ । ଏହା ବ୍ୟତୀତ ରୋହିତ ଶର୍ମା ନିଜ ନାମରେ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଅଧିନାୟକ କରି ପାରି ନ ଥିଲେ । ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କୁ ନିଜ ଅଧିନାୟକତ୍ୱରେ ଥରୁଟିଏ ଏମିତି ସଫଳତା ହାସଲ କରିବା ପାଇଁ ସୁଯୋଗ ମିଳିଥିଲା, ମାତ୍ର ଉଭୟ ଏହା କରି ପାରି ନ ଥିଲେ । ଏହି କାରାନାମା ହେଉଛି ଘରୋଇ ମାଟିରେ ବିରୋଧୀ ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ଜିତିବା ।
ଚେନ୍ନାଇ ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଦଳ ଅଶ୍ୱିନଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୮୭ ରନ କରିଥିଲା । ଏହାରି ଜବାବରେ ବାଂଲାଦେଶ ୧୪୯ ରନରେ ଅଲଆଉଟ୍ ହୋଇଥିଲା । ଭାରତକୁ ପ୍ରଥମ ଇନିଂସରେ ୨୨୭ ରନର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪ ୱିକେଟ୍ ହରାଇ ୨୮୭ ରନରେ ପାଳି ସମାପ୍ତି ଘୋଷଣା କରିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଭାରତ ବାଂଲାଦେଶକୁ ୫୧୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବାଂଲାଦେଶ ୨୩୪ ରନରେ ଅଲଆଉଟ୍ ହେବା ସହ ଭାରତ ମ୍ୟାଚକୁ ୨୮୦ ରନରେ ଜିତି ନେଇଛି ।
ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ ଏମିତି ପ୍ରଥମ ଘଟିଛି । ପ୍ରଥମ ଥର ଭାରତ ଘରୋଇ ମାଟିରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ନିଜ ନାମରେ କରିଛି । ଏହା ପୂର୍ବରୁ ୮ ଥର ବିରୋଧୀ ଦଳର ଅଧିନାୟକ ଭାରତ ମାଟିରେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲେ । ମାତ୍ର ଦଳ ଥରୁଟିଏ ବି ମ୍ୟାଚ୍ ଜିତି ପାରି ନ ଥିଲା । ଭାରତ ଏହି ସମୟରେ ୨ ଥର ମ୍ୟାଚ୍ ହାରିବା ସହ ୬ଟି ମୁକାବିଲା ଡ୍ର ରହିଥିଲା । ଶେଷ ଥର ୨୦୧୭ରେ ଶ୍ରୀଲଙ୍କାର ଅଧିନାୟକ ଭାରତକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲେ । କେହାଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଉକ୍ତ ମ୍ୟାଚ୍ ଡ୍ର ରଖିଥିଲା । ଏହିପରି ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୧ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡ୍ର ଖେଳିଥିଲା ।