ଅହମଦାବାଦ: ଦୀବାନ ବଲ୍ଲୁଭାଇ କପ୍ ୧୯ ବର୍ଷରୁ କମ୍ ମଲ୍ଟିଡେ ଟୁର୍ଣ୍ଣାମେଣ୍ଟରେ ଯୁବ୍ୟ କ୍ରିକେଟ୍ ଖେଳାଳି ଦ୍ରୋଣ ଦେସାଇ ଚମକିଛନ୍ତି। ବ୍ୟକ୍ତିଗତ ଭାବେ ସେ ୪୯୮ ରନ୍ ସଂଗ୍ରହ କରି ରେକର୍ଡ ବୁକରେ ନିଜର ନାମ ଲେଖାଇଛନ୍ତି। ମଙ୍ଗଳବାର ଗୁଜରାଟର ଗାନ୍ଧୀନଗରସ୍ଥିତ ଶିବାୟ କ୍ରିକେଟ ପଡ଼ିଆରେ ଦ୍ରୋଣ ଜେଏଲ୍ ଇଂରାଜୀ ସ୍କୁଲ ବିପକ୍ଷରେ ନିଜର ସ୍କୁଲ ସେଣ୍ଟ ଜାଭିୟର (ଲୋୟୋଲା) ପାଇଁ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ଦ୍ରୋଣ ଦେସାଇ ନିଜର ମାରାଥନ ପାଳିରେ ୩୨୦ଟି ବଲ୍ ସାମ୍ନା କରିଥିଲେ। ଏଥିରେ ସେ ୭ଟି ଛକା ଓ ୮୬ଟି ଚୌକା ମାରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟ ସେଣ୍ଟ୍ରାଲ ବୋର୍ଡ ଅଫ କ୍ରିକେଟ ଅହମଦାବାଦ ଦ୍ବାରା ଆୟୋଜନ କରାଯାଇଥିଲା, ଯାହାକି ଗୁଜରାଟ କ୍ରିକେଟ ଆସୋସିଏଶନ ଅଧୀନ ହୋଇଥାଏ।
ଦେସାଇ ମ୍ୟାଚ ପରେ ଗଣମାଧ୍ୟମକୁ କହିଛନ୍ତି, ୫୦୦ ରନ୍ ସଂଗ୍ରହ କରିପାରି ନଥିବାରୁ ନିରାଶ ଅନୁଭବ କରୁଛି। କାରଣ ମୁଁ ଜାଣି ନଥିଲି ଯେ, ଏତେ ବଡ଼ ସ୍କୋର କରିହେବ। ପଡ଼ିଆରେ କୌଣସି ସ୍କୋର ବୋର୍ଡ ନଥିଲା ଏବଂ ମୋର ସାଥୀ ଖେଳାଳିମାନେ କହି ନଥିଲେ ଯେ, ମୁଁ ୪୯୮ ରନ୍ ସଂଗ୍ରହ କରିସାରିଛି। ତେଣୁ ଷ୍ଟ୍ରୋକ୍ ଖେଳି ଆଉଟ୍ ହୋଇଥିଲି। ତଥାପି ମୁଁ ଖୁସି ଅନୁଭବ କରୁଛି।
ଦ୍ରୋଣ କହିଛନ୍ତି, ୭ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଛି। ଏଥି ପାଇଁ ମୋ ବାପା ବିପୁଳ ସମର୍ଥନ ଦେଇଛନ୍ତି। ମୋ ଭିତରେ ଥିବା ପ୍ରତିଭାକୁ ସେ ଚିହ୍ନିଛନ୍ତି। ସେ ମୋତେ ୪୦ ବର୍ଷର ଅଭିଜ୍ଞତା ଥିବା ଜୟପ୍ରକାଶ ପଟେଲ (ଜେପି ସାର)ଙ୍କ ନିକଟକୁ ପ୍ରଶିକ୍ଷଣ ପାଇଁ ନେଇଥିଲେ। ମୁଁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ପରୀକ୍ଷା ପାଇଁ ସ୍କୁଲକୁ ଯାଉଥିଲି। ଏହା ବ୍ୟତୀତ କ୍ରିକେଟ ଖେଳିବା ଜାରି ରଖିଛି। ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।
ଅଧିକ ପଢ଼ନ୍ତୁ: ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ‘ଗ୍ୱାଲିୟର ବନ୍ଦ’ ଡାକରା