ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୨୭ ତାରିଖରୁ କାନପୁରରେ ଖେଳାଯିବ ଦ୍ଵିତୀୟ ଟେଷ୍ଟ। ବିସିସିଆଇ ଏ ପର୍ଯ୍ୟନ୍ତ ଏହି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିନି। ଦ୍ୱିତୀୟ ଟେଷ୍ଟରେ ଦଳରେ କିଛିଟା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଇଶାନ କିଶନଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିପାରେ । ତାରକା ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ । ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଭାରତର ବିଜୟ ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି। ଏହି ଟେଷ୍ଟ ସରିବା ପରେ ଦ୍ଵିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବ।
ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଦୁଇ ତିନୋଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଦ୍ଵିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ। ସେପଟେ ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ଦଳରୁ ବାଦ ଦିଆଯାଇପାରେ । ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ତିନି ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଇଛି। ହେଲେ କାନପୁରରେ ଦୁଇ ଦ୍ରୁତ ବୋଲର ଓ ତିନି ସ୍ପିନରଙ୍କୁ ଖେଳାଯିବାର ସମ୍ଭାବନା ରହିଛି। କାରଣ କାନପୁର ପିଚ୍ ସ୍ପିନରଙ୍କୁ ସୁହାଇପାରେ ।
ଓ୍ଵିକେଟ୍ କିପର ବ୍ୟାଟର ଇଶାନ କିଶନ ଦଲୀପ ଟ୍ରଫିରେ ଦମଦାର ଶତକ ଅର୍ଜନ କରିଛନ୍ତି। ସଂପ୍ରତି ସେ ଚମତ୍କାର ଫର୍ମରେ ଅଛନ୍ତି। ଏହା ପୂର୍ବରୁ ସେ ବୁଚିବାବୁ ଟୁର୍ଣ୍ଣାମେଣ୍ଟରେ ବି ଶତକ ହାସଲ କରିଥିଲେ। ତେଣୁ ଦ୍ଵିତୀୟ ଟେଷ୍ଟ ପାଇଁ ଇଶାନଙ୍କୁ ଭାରତୀୟ ଦଳରେ ଚୟନ କରାଯାଇପାରେ। ତାଙ୍କୁ ରିଜର୍ଭ ଓପନର ଭାବେ ୧୫ ଜଣିଆ ଦଳରେ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି।
ବିସିସିଆଇ ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଥିଲା। ଦଳରେ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ପ୍ରଥମ ଥର ସ୍ଥାନ ମିଳିଥିଲା। ତେବେ ଦ୍ଵିତୀୟ ଟେଷ୍ଟରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇପାରେ। କାନପୁର ଟେଷ୍ଟ ପାଇଁ ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରି ପାରନ୍ତି ।
ଦ୍ଵିତୀୟ ଟେଷ୍ଟ ପାଇଁ ସମ୍ଭାବିତ ୧୫ ଜଣିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଇଶାନ କିଶନ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ରିଜର୍ଭ ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଆକାଶ ଦୀପ।