କାନପୁର: ସଂପ୍ରତି ଭାରତୀୟ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଭ୍ରମଣକାରୀ ଦଳକୁ ୨୮୦ ରନରେ ହରାଇ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର। ଏହି ମ୍ୟାଚ୍ରେ ସଂପୂର୍ଣ୍ଣ ଖେଳ ହେବା ନେଇ ଆଶଙ୍କା ରହିଛି।
କାନପୁର ଟେଷ୍ଟରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ ତିନି ଦିନ ପ୍ରବଳ ହେବାର ନେଇ ଆଶଙ୍କା କରାଯାଉଛି। ଯଦି ଏମିତି ହୁଏ ତେବେ ମ୍ୟାଚ୍ର ଫଳାଫଳ ବାହାରିବା ମୁସ୍କିଲ। Accuweather.com ମୁତାବକ କାନପୁରରେ ସେପ୍ଟେମ୍ବର ୨୭ରେ ପ୍ରଥମ ଦିନ ଖେଳରେ ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଆକାଶରେ ବାଦଲ ଛାଇ ରହିବାର ୯୯ ପ୍ରତିଶତ ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୩୨ କିଲୋମିଟର ରହିପାରେ।
Accuweather ଅନୁଯାୟୀ, ଦ୍ଵିତୀୟ ଟେଷ୍ଟର ପ୍ରଥମ ୩ ଦିନ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଥମ ଦିନ ୯୨ ପ୍ରତିଶତ, ଦ୍ଵିତୀୟ ଦିନ ୮୦ ପ୍ରତିଶତ ଓ ତୃତୀୟ ଦିନ ୫୯ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଶେଷ ଦୁଇ ଦିନରେ ୩ ଏବଂ ୧ ପ୍ରତିଶତ ବର୍ଷା ହେବାର ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ମ୍ୟାଚ୍ର ପ୍ରଥମ ଦୁଇ ଦିନ ଖେଳ ଆରମ୍ଭ ହେବା ନେଇ ମୁସ୍କିଲ ଲାଗୁଛି। ବର୍ଷା ହେଲେ ଭାରତୀୟ ଦଳ ପାଇଁ ଏହା ନିରାଶଜନକ ରହିପାରେ। କାରଣ ସିରିଜ ୨-୦ରେ ଜିତି ଭାରତୀୟ ଦଳ ଡବ୍ଲ୍ୟୁଟିସି ଅଙ୍କ ତାଲିକାରେ ନିଜର ସ୍ଥାନ ମଜବୁତ କରିବାକୁ ଚାହିଁବ।
କାନପୁର ଟେଷ୍ଟରେ ବର୍ଷା ଆଶଙ୍କା
ସେପ୍ଟେମ୍ବର ୨୭- ୯୨ ପ୍ରତିଶତ
ସେପ୍ଟେମ୍ବର ୨୮- ୮୦ ପ୍ରତିଶତ
ସେପ୍ଟେମ୍ବର ୨୯- ୫୬ ପ୍ରତିଶତ
ସେପ୍ଟେମ୍ବର ୩୦- ୩ ପ୍ରତିଶତ
ଅକ୍ଟୋବର ୧- ୧ ପ୍ରତିଶତ
ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ