ନୂଆଦିଲ୍ଲୀ: ଭାରତୀୟ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପ୍ରଥମ ଦୁଇଟି ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଖେଳି ସାରିଛି । ହେଲେ ଦଳ ପ୍ରତି ଥର ଫାଇନାଲରେ ପରାଜିତ ହୋଇଛି । ଉଦଘାଟନୀ ସଂସ୍କରଣରେ ଭାରତକୁ ନ୍ୟୁଜିଲାଣ୍ଡ ହାତରୁ ପରାଜୟ ମିଳିଥିବା ବେଳେ ୨୦୨୩ ଡବ୍ଲ୍ୟୁଟିସି ଫାଇନାଲରେ ରୋହିତ ବାହିନୀଙ୍କୁ ଅଷ୍ଟ୍ରେଲିଆ ହରାଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ରେକର୍ଡ ଦମଦାର ରହିଛି । ଆଉ ଦଳ କ୍ରମାଗତ ତୃତୀୟ ଥର ଫାଇନାଲରେ ପହଞ୍ଚିବା ଦିଗରେ ଅଗ୍ରସର ହେଉଛି । ଭାରତୀୟ ଦଳ ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳି ସାରିଛି । ଆଉ ଦଳ ଶୀର୍ଷରେ ରହିଛି ।
ଭାରତୀୟ ଦଳ ବାଂଲାଦେଶକୁ ୨୮୦ ରନରେ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ନୂତନ ଚକ୍ରରେ ଶୀର୍ଷରେ ନିଜର ସ୍ଥାନ ମଜବୁତ କରିଛି । ଭାରତୀୟ ଦଳର ଫାଇନାଲରେ ସ୍ଥାନ ସୁନିଶ୍ଚିତ ହୋଇ ନାହିଁ । କିନ୍ତୁ ଦଳ ପ୍ରବଳ ଦାବିଦାର ରହିଛି । ଯଦି ଦଳ ବାଂଲାଦେଶକୁ ଦ୍ୱିତୀୟ ଟେଷ୍ଟ ହରାଇବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ ଜିତି ନିଏ ତେବେ ଦଳର ଫାଇନାଲରେ ପହଞ୍ଚିବା ପ୍ରାୟତଃ ସ୍ପଷ୍ଟ ହୋଇଯିବ । କିନ୍ତୁ ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଅନ୍ୟପଟେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ ହରାଇ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାରେ ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିଛି । ଶ୍ରୀଲଙ୍କା ନିକଟରେ ମଧ୍ୟ ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି । ଶ୍ରୀଲଙ୍କା ଦଳର ଆଗାମୀ ଗସ୍ତ ଦକ୍ଷିଣ ଆଫ୍ରିକା ରହିଛି, ଯାହା ଏକ କଷ୍ଟକର ଗସ୍ତ । ଦଳର ବର୍ତ୍ତମାନ ବିଜୟ ପ୍ରତିଶତ ୫୦ ରହିଛି । ପରାଜୟ ପରେ ନ୍ୟୁଜିଲାଣ୍ଡ ଚତୁର୍ଥକୁ ଖସି ଆସିଛି । କଙ୍ଗାରୁ ଦଳ ଦ୍ୱିତୀୟରେ ରହି ଡବ୍ଲ୍ୟୁଟିସି ଫାଇନାଲ ଦୌଡରେ ରହିଛି ।