ମୁୁମ୍ବାଇ: ଆଜି ଆଇପିଏଲ ୨୦୨୫ର ୩୮ ତମ ମ୍ୟାଚରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲାରେ ମୁହାଁମୁହିଁ ହେବେ ପାଞ୍ଚ ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ଏହି ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ସଭିଙ୍କ ନଜର ଦୁଇ କିମ୍ବଦନ୍ତୀ ଖେଳାଳି ରୋହିତ ଶର୍ମା ଓ ଏମଏସ ଧୋନୀଙ୍କ ଉପରେ ରହିବ । ୱାଙ୍ଖେଡେ ଷ୍ଟାଡିୟମରେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଶେଷ ମ୍ୟାଚ୍ ହୋଇପାରେ ।
ଧୋନୀଙ୍କୁ ଚଳିତ ବର୍ଷ ଜୁଲାଇରେ ୪୪ ବର୍ଷ ବୟସ ହେବ । ତାଙ୍କର ବର୍ତ୍ତମାନର ଫର୍ମ ଓ ଫିଟନେସ୍ ଦେଖିଲେ ଲାଗୁନାହିଁ ସେ ଆଗାମୀ ସିଜିନରେ ଖେଳି ପାରିବେ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ରୋହିତ ଶର୍ମାଙ୍କଠୁ ଆଗକୁ ବଢିଛି । ଦଳ ନୂଆ ନୂଆ ଖେଳାଳିଙ୍କୁ ସୁଯୋଗ ଦେଉଛି । ରୋହିତ ଶର୍ମା ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଛନ୍ତି । ତେଣୁ ରୋହିତ ଓ ଧୋନୀଙ୍କ ଏହି ମଇଦାନରେ ଏହା ଶେଷ ମୁହାଁମୁହିଁ ହୋଇପାରେ । ଉଭୟଙ୍କ ପାଇଁ ୱାଙ୍ଖେଡେ ଷ୍ଟାଡିୟମ ବହୁତ ଖାସ୍ ରହିଛି । ରୋହିତଙ୍କ ଏହା ହୋମ ଗ୍ରାଉଣ୍ଡ ହୋଇଥିବା ବେଳେ ଧୋନୀ ୨୦୧୧ ବିଶ୍ୱକପ ଫାଇନାଲରେ ଏହି ଗ୍ରାଉଣ୍ଡରେ ଭାରତକୁ ଚାମ୍ପିଅନ କରାଇଥିଲେ । ଏଠାରେ ମାହିଙ୍କ ନାଁରେ ସିଟ ବି ରହିଛି ।
ତେବେ ପ୍ରଦର୍ଶନ ଉପରେ ନଜର ପକାଇଲେ ଚଳିତ ସିଜିନରେ ଉଭୟ ଦଳର ପ୍ରଦର୍ଶନ ସେତେ ଖାସ୍ ନାହିଁ । କିନ୍ତୁ ଚେନ୍ନାଇ ତୁଳନାରେ ମୁମ୍ବାଇ ବର୍ତ୍ତମାନ ଟ୍ରାକକୁ ଫେରୁଥିବା ଦେଖିବାକୁ ମିଳିଛି । ମୁମ୍ବାଇ ୭ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ଚେନ୍ନାଇ ୨ଟି ଜିତିଛି । ତେଣୁ ଆଜିର ମ୍ୟାଚ୍ ଜିତିବା ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ମ୍ୟାଚ୍ ଜିତିଲେ ହେଁ ପ୍ଲେ ଅଫ ଆଶା ଉଜ୍ଜିବୀତ ରହିବ ।
ମୁମ୍ବାଇ ବନାମ ଚେନ୍ନାଇ ରେକର୍ଡ
ଦୁଇ ଦଳ ଆଇପିଏଲରେ ଏ ପର୍ଯ୍ୟନ୍ତ ମୋଟ୍ ୩୮ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ମୁମ୍ବାଇ ୨୦ ଜିତିଥିବା ବେଳେ ଚେନ୍ନାଇ ୧୮ଟି ଜିତିଛି । ଦୁଇ ଦଳ ମଧ୍ୟରେ ପ୍ରତିଥର କଡା ଟକ୍କର ହୋଇଥାଏ । ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇର ଦବଦବା ରହିଛି । ଦୁଇ ଦଳ ମଧ୍ୟରେ ଏଠାରେ ୧୨ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୭ଟି ଜିତିଥିବା ବେଳେ ଚେନ୍ନାଇ ୫ଟି ଜିତିଛି । ଆଜିର ମ୍ୟାଚରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି ।