ମୁୁମ୍ବାଇ: ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ଶୋଚନୀୟ ଭାବେ ହରାଇଛି । ମୁମ୍ବାଇର ୱାଙ୍ଖେଡେରେ ଏପ୍ରିଲ ୨୦ ତାରିଖରେ ଖେଳା ଯାଇଥିବା ମ୍ୟାଚ୍ ଜିତି ମୁମ୍ବାଇ ଚେପକ ପରାଜୟର ପ୍ରତିଶୋଧ ନେଇଛି । ହିଟମ୍ୟାନ ରୋହିତ ଶର୍ମା ଫର୍ମକୁ ଫେରିବା ସହ ମୁମ୍ବାଇ ଚମକପ୍ରଦ ବିଜୟ ସହ ହ୍ୟାଟ୍ରିକ ମ୍ୟାଚ୍ ଜିତିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୫୩ ରନ ଓ ଶିବମ ଦୁବେଙ୍କ ୫୦ ରନ ବଳରେ ୫ ୱିକେଟ୍ ହରାଇ ୧୭୬ ରନ କରିଥିଲା । ଜବାବରେ ରୋହିତ ଶର୍ମାଙ୍କ ୭୬ ରନ ଓ ସୂର୍ଯ୍ୟକୁମାର ଯାଦବଙ୍କ ୬୮ ରନ ବଳରେ ୧ ୱିକେଟ ବିନିମୟରେ ୧୫.୪ ଓଭରରେ ମ୍ୟାଚକୁ ଏକତରଫା ଜିତି ନେଇଛି । ଅଷ୍ଟମ ମ୍ୟାଚରୁ ୪ଟି ଜିତି ମୁମ୍ବାଇ ଅଙ୍କ ତାଲିକାରେ ଷଷ୍ଠକୁ ଉଠିଛି । ଅନ୍ୟପଟେ ଷଷ୍ଠ ପରାଜୟ ସହ ଚେନ୍ନାଇର ପ୍ଲେ ଅଫ ଦୌଡରୁ ବାଦ୍ ପଡିବାର ସମ୍ଭାବାନ ରହିଛି ।
୧୭୭ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ପାଇଁ ସବୁଠୁ ବଡ ଆଶ୍ୱସ୍ତିକର ବିଷୟ ଥିଲା ରୋହିତ ଶର୍ମା ଫର୍ମକୁ ଫେରିବା । ରୋହିତ ଓପନିଂରେ ରିୟାନ ରିକଲଟନଙ୍କ ସହ ମିଶି ୬୩ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ । ରିକଲଟନ ୨୪ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ଓ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ । ଦୁଇ ବ୍ୟାଟ ନିଜର ପୁରୁଣା ରଙ୍ଗରେ ନଜର ଆସିଥିଲେ । ଚେନ୍ନାଇ ବୋଲରଙ୍କୁ ଚୌକା ଓ ଛକା ବର୍ଷା କରିଥିଲେ ରୋହିତ ଓ ସୂର୍ଯ୍ୟ ।
ଏହି ଦୁଇ ବ୍ୟାଟର ୧୧୪ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି । ରୋହିତ ୪୫ ବଲରୁ ୪ ଚୌକା ଓ ୬ ଛକା ସହ ୭୬ ରନ କରି ଅପରାଜିତ ଥିଲେ । ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୩୦ ବଲରୁ ୬ ଛକା ଓ ୫ ଚୌକା ସହ ୬୮ ରନରେ ଅପରାଜିତ ଥିଲେ । ଆଉ ମୁମ୍ବାଇ ବିଜୟ ଲକ୍ଷ୍ୟକୁ ୧୫.୪ ଓଭରରେ ଗୋଟିଏ ବ୍ୟାଟର ହରାଇ ହାସଲ କରି ନେଇଥିଲା ।