ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମୁସ୍କିଲ ବଢିବାକୁ ଯାଉଛି। ତାଙ୍କ ବୟାନକୁ ନେଇ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଆରମ୍ଭ ହୋଇ ଯାଇଛି। ସୁପ୍ରିମକୋର୍ଟର ଜଣେ ଆଡଭୋକେଟ୍ ଅନ ରେକର୍ଡ ଆଟର୍ଣ୍ଣି ଜେନେରାଲଙ୍କୁ ଚିଠି ଲେଖି ଅବମାନନା ମୋକଦ୍ଦମାର ଅନୁମତି ଦେବାକୁ ଦାବି କରିଛନ୍ତି।
କଟେମ୍ପ୍ଟ ଅଫ କୋର୍ଟ ଆକ୍ଟ, ୧୯୭୧ର ଧାରା ୧୫(୧)(ବି) ଓ ଅବମାନନା ମାମଲା ପାଇଁ ସୁପ୍ରିମକୋର୍ଟର ୧୯୭୫ରେ ପ୍ରସ୍ତୁତ ନିୟମରୁ ନିୟମ ୩(ସି) ଆଧାରରେ ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କ ସହମତି ପରେ ସୁପ୍ରିମକୋର୍ଟଙ୍କ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥାଏ। ଆଡଭୋକେଟ୍ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟ ରମଣୀଙ୍କୁ ଚିଠି ଲେଖି ନିଶିକାନ୍ତ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି।
ସେ ଚିଠିରେ ଲେଖିଛନ୍ତି, ଦୁବେ ସୁପ୍ରିମକୋର୍ଟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ସୁପ୍ରିମକୋର୍ଟ ଅରାଜକତା କରାଉଥିବା ଅଭିଯୋଗ କରିଛନ୍ତି। ଆଡଭୋକେଟ୍ ଲେଖିଛନ୍ତି, ସମ୍ବିଧାନରେ ସୁପ୍ରିମକୋର୍ଟକୁ ଦାୟିତ୍ଵ ଦିଆଯାଇଛି ଯେ, କୋର୍ଟ କୌଣସି ଆଇନର ସାମ୍ବିଧାନିକ ଯାଞ୍ଚ କରି ପାରିବେ। ନିଶିକାନ୍ତ ଦୁବେ ଭୁଲ୍ ଭାବେ ନିଜର କଥା ରଖି ସୁପ୍ରିମକୋର୍ଟଙ୍କୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି।
ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ଦୁବେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଦେଶରେ ସିଭିଲ ଓ୍ଵାର ପାଇଁ ଦାୟୀ କରିଛନ୍ତି। ଏହିପରି ସବୁ ବୟାନ କଣ୍ଟେକ୍ପଟ ଅଫ୍ କୋର୍ଟ ଆକ୍ଟର ଧାରା ୨(ସି)(i) ଆଧାରରେ ସୁପ୍ରିମକୋର୍ଟଙ୍କ ଅବମାନନା କରାଯାଇଛି। ତେଣୁ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦିଅନ୍ତୁ।