ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁରେ ରବିବାର ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ବହୁ ଧନଜୀବନ ନଷ୍ଟ ହୋଇଯାଇଛି । ଅନେକ ଗଛ ଉପୁଡ଼ିବା ସହିତ ଗାଡି ଚଳାଚଳ ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଉପତ୍ୟକାର ଜୀବନରେଖା ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି।
ସୂଚନା ଅନୁସରେ, ଗୁରୁବାର ଜମ୍ମୁରେ ହଠାତ୍ ପ୍ରବଳ ପବନ ଓ ବର୍ଷା ହୋଇଥିଲା । ଫଳରେ ଲୋକମାନେ ବହୁ ହନ୍ତସନ୍ତ ମଧ୍ୟ ହେଉଥିଲେ । ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ଜମ୍ମୁରେ ଭୂସ୍ଖଳନ ହୋଇଛି । ଜମ୍ମୁର ରାମବନରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଭୂସ୍ଖଳନରେ ବହୁ ଲୋକଙ୍କ ଘର ବୁଡିଯିବା ସହିତ ଶହଶହ ଯାନବାହନ ଫସି ରହିଛି। କେତେ ଲୋକ ବାସ ଶୂନ୍ୟ ହେବା ସହିତ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି । ଏନେଇ ଉଦ୍ଧାରକାରୀ ଦଳ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ଖବର ଲେଖାହେଲାବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଭୟଙ୍କର ଭୂସ୍ଖଳନକୁ ନେଇ ଉଧମପୁରର ସତେନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ଗୁପ୍ତା କହିଛନ୍ତି," ସତେନୀ ପଞ୍ଚାୟତରେ ଭୂସ୍ଖଳନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। ଉକ୍ତ ସ୍ଥାନରେ ଗଛ ଉପୁଡ଼ି ପଡିବା ସହିତ ଯାତାୟାତ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ପ୍ରବାହ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ରିପୋର୍ଟ ଅନୁସାରେ, ରାମବନର ଧରମ କୁଣ୍ଡ ଗାଁରେ ପ୍ରାୟ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଗ୍ରାମବାସୀମାନେ ଭୂସ୍ଖଳନରେ ମଧ୍ୟ ପ୍ରବାହିତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ୧୦୦ରୁ ଅଧିକ ଗ୍ରାମବାସୀଙ୍କୁ ଉଦ୍ଧାର କରିଛନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାସରି ଏବଂ ବାନିହାଲ ମଧ୍ୟରେ ବହୁ ଭୂସ୍ଖଳନ ହୋଇଛି । ଯେଉଁ କାରଣରୁ ଲୋକମନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଦ୍ଧାରକାରୀ ଦଳଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।