ଜୟପୁର: ପୁଣି ଏକ ରୋମାଞ୍ଚଭରା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୫ ସଂସ୍କରଣରେ ନିଜର ପଞ୍ଚମ ପରାଜୟ ହାସଲ କରିଛି । ଲକ୍ଷ୍ନୌ ବିପକ୍ଷରେ ଜୟପୁର ସ୍ଥିତ ନିଜର ହୋମ ଗ୍ରାଉଣ୍ଡ ସୱାଇ ମାନସିଂହ ଷ୍ଟାଡିଅମରେ ପରାଜୟ ବରଣ କରିଛି । ତେବେ ଏହି ମ୍ୟାଚରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜର ପ୍ରଥମ ଆଇପିଏଲ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ସେ ନିଜର ବ୍ୟାଟରେ ଆକ୍ରମଣତ୍ମକ ପାରି ଖେଳିଥିଲେ । ସଞ୍ଜୁ ସାମ୍ପସନଙ୍କ ଅନୁପସ୍ଥିତିରେ ତାଙ୍କ ବ୍ୟାଟରୁ ଅତ୍ୟାବଶ୍ୟକୀୟ ରନ ଦଳକୁ ମିଳିଥିଲା । ମାତ୍ର ବୈଭବ ଯେବେ ଆଉଟ ହେଲେ ସେ ସମୟର ଦୃଶ୍ୟ ସତରେ ହୃଦୟବିଦାରକ ଥିଲା ।
ବୈଭବ ୨୦ ବଲରୁ ୨ ଟି ଚୌକା ଓ ୩ ଟି ଛକା ସହିତ ୩୪ ରନ ହାସଲ କରିଥିଲେ । ୟଶସ୍ଵୀ ଜୈସୱାଲ୍ ଙ୍କ ସହ ୮୪ ରନର ପାର୍ଟନରସିପ୍ ମଧ୍ୟ କରିଥିଲେ । ମାତ୍ର ଏଡେନ ମାକ୍ରମ୍ ଙ୍କ ବଲରେ, ଋଷଭ ଚତୁରତାପୂର୍ଣ୍ଣ ଷ୍ଟମ୍ପ ନେବା ଫଳରେ ବୈଭବ ନିଜର ୱିକେଟ୍ ହରାଇଥିଲେ ।
ନିଜର ପ୍ରଥମ ମ୍ୟାଚରେ ଆଉଟ ହେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ ଓ ଖୁବ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ବାମହାତି ବ୍ୟାଟ୍ସମ୍ୟାନ, ବୈଭବ ପାଭିଲିଅନ ଫେରି ଯାଉଥିବା ସମୟରେ ନିଜର ଲୁହ ପୋଛି ଯାଉଥିବାର ଦୃଶ୍ୟ ଖୁବ ଦୁଃଖପୂର୍ଣ୍ଣ ଥିଲା ।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସରେ ନୂଆ ରେକର୍ଡ ସ୍ଥାପନ କରଛନ୍ତି । ମାତ୍ର ୧୪ ବର୍ଷ ଓ ୨୩ ଦିନ ଵୟସରେ ସେ ଆଇପିଏଲରେ ଖେଳୁଥିବା ସବୁଠାରୁ ୟଙ୍ଗ ପ୍ଲେୟାର ଭାବେ ସ୍ଥାନ ପାଇଛନ୍ତି । ପୂର୍ବରୁ ୧୬ ବର୍ଷ ବୟସରେ ପ୍ରୟାସ ରାୟ ବର୍ମନ ଆରସିବିରେ ୨୦୧୯ ରେ ଯୋଗ ଦେଇ ଏହି ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଥିଲେ ।
ବୈଭବଙ୍କୁ ମାତ୍ର ୧୩ ବର୍ଷ ବୟସରେ ରାଜସ୍ଥାନ ରୟଲସ ୧.୧୦ କୋଟି ଟଙ୍କାରେ ଆଇପିଏଲ ୨୦୨୫ ଅକ୍ସନରେ କିଣିଥିଲେ । ଏହାଦ୍ୱାରା ବୈଭବ ଆଇପିଏଲ ଇତିହାସର ସର୍ବ କନିଷ୍ଠ ଯୁବ ଖେଳାଳୀ ଭାବେ ନିଜର ନାମ ଅନ୍ତର୍ଭୁକ୍ତ କରାଇପାରିଥିଲେ ।