ଚଣ୍ଡିଗଡ: ଆଇପିଏଲ୍ ୨୦୨୫ର ୩୭ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍ ଆଜି ଅପରାହ୍ଣ ୩ଟା ୩୦ରେ ଚଣ୍ଡିଗଡର ମୁଲାନପୁର ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଚଳିତ ସିଜିନରେ ଦୁଇ ଦଳ ବେଙ୍ଗାଲୁରୁରେ ପରସ୍ପରକୁ ଭେଟିଥିଲେ । ବର୍ଷା ଯୋଗୁଁ ଉକ୍ତ ମ୍ୟାଚ୍ ୧୪-୧୪ ଓଭର ଖେଳା ଯାଇଥିଲା ।
ପଞ୍ଜାବ କିଙ୍ଗ୍ସ ନିଜର ଗତ ମ୍ୟାଚରେ ଆରସିବିକୁ ହରାଇ ସପ୍ତମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଆରସିବି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ରଜତ ପାଟିଦାରଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ ମ୍ୟାଚରୁ ୪ଟି ଜିତି ଅଙ୍କ ତାଲିକାରେ ପଞ୍ଚମରେ ରହିଛି ।
ପଞ୍ଜାବ ଓ ବେଙ୍ଗାଲୁରୁ ଦୁଇ ଦଳ ଏ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତି ନାହାନ୍ତି । ଦୁଇ ଦଳ ମଧ୍ୟରେ ଆଇପିଏଲରେ ମୋଟ୍ ୩୪ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୧୬ ମ୍ୟାଚ୍ ଆରସିବି ଓ ୧୮ ମ୍ୟାଚ୍ ପଞ୍ଜାବ ଜିତିଛି । ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହୋଇପାରେ । କାରଣ ବେଙ୍ଗାଲୁରୁ ଚଳିତ ସିଜିନରେ ବାହାର ଗ୍ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଆସିଛି ।
କେମିତି ରହିବ ପାଗ
ମୁଲାନପୁର କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ । ଡବଲ ହେଡରର ଏହି ପ୍ରଥମ ମ୍ୟାଚ୍ ପାଇଁ ଟସ୍ ୩ଟାରେ ପଡିବ । ମାତ୍ର ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨ଟା ୩୦ରେ ୩୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ପବନର ଗତି ୨୪ କିଲୋମିଟର ଘଣ୍ଟା ପ୍ରତି ରହିପାରେ । ପୂରା ମ୍ୟାଚ୍ ସମୟରେ ବର୍ଷାର ସମ୍ଭାବନା ୩୦ରୁ ୩୫ ପ୍ରତିଶତ ରହିଛି । ବର୍ଷା ହେଲେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇପାରେ ।