ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପକ୍ଷରୁ ଖେଳୁଥିବା କ୍ରିକେଟର ୟଶ ଦୟାଲଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଯୌନ ଉତ୍ପୀଡନ ମାମଲାରେ ରୁଜୁ ଏଫଆଇଆରକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ ଶୁଣାଣି କରି ହାଇକୋର୍ଟ ଦୟାଲଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ କୋର୍ଟ କୌଣସି ପ୍ରକାରର ଉତ୍ପୀଡନ କାର୍ଯ୍ୟାନୁଷ୍ଟାନ ଉପରେ ରୋକ୍ ଲଗାଇଛନ୍ତି ।
ମାମଲାର ଶୁଣାଣି ବିଚାରପତି ସିଦ୍ଧାର୍ଥ ବର୍ମା ଓ ବିଚାରପତି ଅନିଲ କୁମାର ଦଶମଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି । ୟଶ ଦୟାଲଙ୍କ ପକ୍ଷରୁ ଆଡଭୋକେଟ୍ ଗୌରବ ତ୍ରିପାଠୀ ପକ୍ଷ ରଖିଥିଲେ । ହାଇକୋର୍ଟ ଶୁଣାଣି ସମୟରେ ମୌଖିକ ଟିପ୍ପଣୀ କରି କହିଛନ୍ତି, ଦୁଇ ପକ୍ଷ ବର୍ଷ ବର୍ଷ ଧରି ସଂପର୍କରେ ରହିଲେ । ଏହା କୁହାଯାଇ ପାରିବ ନାହିଁ ଯେ, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖାଗଲା । ପ୍ରଥମରୁ ହିଁ ମାମଲା ଠିକ୍ ଲାଗୁନି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ଉପରେ ପୀଡିତାଙ୍କ ପ୍ରତିକ୍ରିୟା ଆବଶ୍ୟକ ।
କୋର୍ଡ ପୀଡିତାଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ଶୁଣାଣି ଛଅ ସପ୍ତାହ ଭିତରେ ନିର୍ଦ୍ଧାରିତ କରାଯାଇଛି । ସୂଚନାଯୋଗ୍ୟ, ୟଶ ଦୟାଲଙ୍କ ବିରୋଧରେ ଜୁଲାଇ ୬ରେ ଇନ୍ଦିରାପୁରମ ଥାନାରେ ଯୌନ ଉତ୍ପୀଡନର ମାମଲା ରୁଜୁ କରାଯାଇଥିଲା । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୟଶ ଦୟାଲ । ତାଙ୍କ ବିରୋଧରେ ରୁଜୁ ମାମଲା ଏବଂ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ସେ କୋର୍ଟରେ ନିବେଦନ କରିଥିଲେ ।