ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବ । ଏ ନେଇ ଦୁଇ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଭାରତର ବୋଲିଂ କୋଚ୍ ମର୍ଣ୍ଣୋ ମୋର୍କେଲ୍ ଚାହାନ୍ତି ବ୍ୟାଟିଂ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଧିକ ବୋଲିଂ କରନ୍ତୁ, କାରଣ ମଝି ଓଭରରେ ତାଙ୍କର ବୋଲିଂ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।
ରେଡ୍ଡୀ ଗତ ବର୍ଷ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟରେ ଶତକ ହାସଲ କରିଥିଲେ । ତାଙ୍କୁ ଇଂଲଣ୍ଡ ବିପକ୍ଷ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ସହ ମୁକାବିଲା କରିବାକୁ ପଡୁଛି । ଶାର୍ଦ୍ଦୁଳ ଠାକୁର ହେଉଛନ୍ତି ବୋଲିଂ ଅଲରାଉଣ୍ଡର । ରେଡ୍ଡୀ ଇଂଲଣ୍ଡ ବିପକ୍ଷ ଦୁଇଟି ଅଭ୍ୟାସ ମ୍ୟାଚରେ ୨୬.୫ ଓଭର ବୋଲିଂ କରିଛନ୍ତି । କିନ୍ତୁ ମୋର୍କେଲ ଚାହାନ୍ତି ତାଙ୍କୁ ଅଧିକ ସମୟ ବୋଲିଂ କରିବା ଦରାକର ।
ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଦ୍ରୁତ ବୋଲର କହିଛନ୍ତି, ମୋତେ ଲାଗୁଛି ନୀତିଶ ରେଡ୍ଡୀ ସିରିଜରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇ ପାରନ୍ତି । ଏଥିପାଇଁ ତାଙ୍କୁ ନିରନ୍ତର ପ୍ରଦର୍ଶନ କରିବାକୁ ପଡିବ । ଦଳ ମଧ୍ୟ ଏହା ଉପରେ କାମ କରୁଛି । ରେଡ୍ଡୀଙ୍କୁ ଅଧିକ ଓଭର ବୋଲିଂ କରିବାର ଦାୟିତ୍ୱ ଦିଆଯାଇଛି । ଲିଡ୍ସ ଟେଷ୍ଟରେ କାହାକୁ ଚୟନ କରାଯିବ ଶାର୍ଦ୍ଦୁଳ ନା ରେଡ୍ଡୀ ? ଏହି ପ୍ରଶ୍ନ ଉପରେ ଉତ୍ତର ଦେବାକୁ ମୋର୍କେଲ ମନା କରି ଦେଇଛନ୍ତି ।
ସେ କହିଛନ୍ତି, ଆମେ ସବୁ ଦିଗକୁ ଦୃଷ୍ଟିରେ ରଖି ଚୂଡାନ୍ତ ଏକାଦଶ ଚୟନ କରିବୁ । ଆମ ପାଇଁ ବଡ କଥା ଟେଷ୍ଟ ମ୍ୟାଚ୍ ପାଇଁ ଫିଟ୍ ରହିବା ଏବ ପ୍ରସ୍ତୁତି କରିବା । ଆମେ ଗତ କିଛି ମାସ ହେବ ଟେଷ୍ଟ କ୍ରିକେଟ୍ ଖେଳିନୁ । ବଡ କଥା ଖେଳାଳି ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ପ୍ରସ୍ତୁତ ଅଛନ୍ତି । ଖେଳାଳି ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ମଇଦାନରେ କେମିତି ୯୦ ଓଭର ମୁକାବିଲା କରି ପାରିବୁ । ତଥାପି ଆମ ଖେଳାଳିଙ୍କୁ ୯୦ ଓଭର ଖେଳିବାର ଅଭ୍ୟାସରେ ପରିଣତ ପାଇଁ ଆଉ କିଛି ସମୟ ଦରକାର ।