ମୁୁମ୍ବାଇ: ଶେଷ ପର୍ଯ୍ୟନ୍ତ ଲଢି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଉ ରୋମାଞ୍ଚକର ମ୍ୟାଚରେ ବାଜି ମାରି ନେଇଗଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଦୀର୍ଘ ୧୦ ବର୍ଷ ପରେ ମୁମ୍ବାଇକୁ ୱାଙ୍ଖେଡେ ଷ୍ଟାଡିୟମରେ ହରାଇ ଇତିହାସ ରଚିଛି ବେଙ୍ଗାଲୁରୁ । ଏହା ପୂର୍ବରୁ ଚଳିତ ସିଜିନରେ ଦଳ ୧୭ ବର୍ଷ ପରେ ଚେନ୍ନାଇକୁ ତାରି ଗ୍ରାଉଣ୍ଡ ଚେପକରେ ହରାଇଥିଲା ବେଙ୍ଗାଲୁରୁ । ଆଜିର ମ୍ୟାଚରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ପାରୁ ପର୍ଯ୍ୟନ୍ତ ଲଢେଇ କରିଥିଲେ ହେଁ ଉଭୟଙ୍କ ଆଉଟ୍ ସହ ମୁମ୍ବାଇର ଆଶା ଧୂଳିସାତ ହୋଇଥିଲା । ଶେଷ ଓଭରରେ ମୁମ୍ବାଇକୁ ୧୯ ଦରକାର ଥିବା ବେଳେ କୃଣାଲ ପାଣ୍ଡ୍ୟା ଶାଣିତ ବୋଲିଂ କରି ନିଜର ଛୋଟ ଭାଇଙ୍କ ଦଳକୁ ୧୨ ରନରେ ହରାଇଛି । ଏହି ବିଜୟ ସହ ବେଙ୍ଗାଲୁରୁ ୬ ପଏଣ୍ଟ ସହ ଅଙ୍କ ତାଲିକାର ତୃତୀୟରେ ରହିଛି । ଅନ୍ୟପଟେ ମୁମ୍ବାଇ ଚତୁର୍ଥ ପରାଜୟ ସହ ଅଷ୍ଟମରେ ରହିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ବ୍ୟାଟର ୱାଙ୍ଖେଡେ ଷ୍ଟାଡିୟମରେ ଧୂଆଁଧାର ବ୍ୟାଟିଂ କରିଥିଲେ । ବିଶେଷ କରି ଆରମ୍ଭରୁ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ଦେବଦତ୍ତ ପାଡିକଲ । ଏହି ବାମହାତୀ ବ୍ୟାଟର ୩୭ ରନ କରି ଆଉଟ୍ ହୋଇଥିଲେ । ବିରାଟ କୋହଲି ୪୨ ବଲରୁ ୮ ଚୌକା ଓ ୨ ଛକା ସହ ୬୭ ରନର ଦମଦାର ଇନିଂସ ଖେଳିଥିଲେ । ଏହା ପରେ ଅଧିନାୟକ ରଜତ ପାଟିଦାର ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୩୨ ବଲରୁ ୫ ଚୌକା ଓ ୪ ଛକା ସହ ୬୪ ରନ କରିଥିଲେ । ଜିତେଶ ଶର୍ମା ୪୦ ରନର ଦ୍ରୁତ ବ୍ୟାଟିଂ କରିଥିଲେ । ସବୁ ବ୍ୟାଟରଙ୍କ ସାମୂହିକ ଯୋଗଦାନ ଫଳରେ ଆରସିବି ୫ ୱିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଥିଲା ।
ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା । ରୋହିତ ଶର୍ମା ୧୭ ରନ କରି ପୁଣି ଥରେ ନିରାଶ କରିଥିଲେ । ରିୟାନ ରିକଲଟନ(୧୭) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ । ୱିଲ ଜ୍ୟାକ୍ସ ୨୨ ରନର ଧିମା ଇନିଂସ ଖେଳିଥିଲେ । ସବୁଠୁ ଅଧିକ ନିରାଶ କରିଥିଲେ ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଏହି ଷ୍ଟାଇଲିସ ବ୍ୟାଟର ୨୬ ବଲରୁ ୨୮ ରନ କରିବା ଦଳକୁ ବହୁତ ଚାପରେ ରଖିଥିଲା ।
ମୁମ୍ବାଇ ଚାପରେ ଥିବା ବେଳେ ତିଳକ ବର୍ମା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ପଞ୍ଚମ ୱିକେଟ୍ ପାଇଁ ୮୯ ରନ ଯୋଡି ମୁମ୍ବାଇକୁ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇବା ସହ ବିଜୟ ସମ୍ଭାବନା ବଢାଇଥିଲେ । ହେଲେ ଦୁଇ ବ୍ୟାଟର ଆଉଟ୍ ହେବା ସହ ମୁମ୍ବାଇର ପରାଜୟ ନିଶ୍ଚିତ ହୋଇ ଯାଇଥିଲା । ବର୍ମା ୨୬ ବଲରୁ ୪ ଚୌକା ଓ ୪ ଛକା ସହ ୫୬ ରନ କରିଥିଲେ । ପାଣ୍ଡ୍ୟା ମାତ୍ର ୧୫ ବଲରୁ ୪୨ ରନ କରିଥିଲେ । ଶେଷରେ ମୁମ୍ବାଇ ୯ ୱିକେଟ୍ ହରାଇ ୨୦୯ ରନ କରିଥିଲା । ଆରସିବି ପକ୍ଷରୁ ବୋଲିଂରେ କୃଣାଲ ପାଣ୍ଡ୍ୟା ୪୫ ରନ ଦେଇ ସର୍ବାଧିକ ୪ଟି ସଫଳତା ପାଇଥିଲେ ।