ଅହମ୍ମଦାବାଦ: କେଏଲ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅହମ୍ମଦାବାଦରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ରାହୁଲଙ୍କ ଏହା ୧୧ତମ ଶତକ । ଆଜି ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନ ସୁଦ୍ଧା ରାହୁଲ ୧୦୦ ରନ କରି ଅପରାଜିତ ଅଛନ୍ତି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନ କରିଛି ।
ଉଲ୍ଲେଖନୀୟ ୨୦୧୬ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷରେ କେଏଲ ରାହୁଲ ନିଜ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ । ଘରୋଇ ମାଟିରେ ରାହୁଲଙ୍କ ଏହା ପ୍ରଥମ ଶତକ ଥିଲା । କେଏଲ ରାହୁଲ ପ୍ରଥମ ସେସନ ସରିବାର କିଛି ମିନିଟ୍ ପୂର୍ବରୁ ନିଜର ଶତକ ପୂରା କରିଛନ୍ତି । ୬୫ତମ ଓଭରର ପଞ୍ଚମ ବଲରେ ଶତକ ପୂରା କରିବା ପରେ ସିଟି ବଜାଇ ସେଲିବ୍ରେସନ କରିଥିଲେ । କିଛି ସମୟ ପୂର୍ବରୁ ସେ ଏକ କନ୍ୟା ସନ୍ତାନର ବାପା ହେବାର ସୌଭାର୍ଗ୍ୟ ଅର୍ଜନ କରିଥିଲେ । ବୋଧହୁଏ ଏହି ଖୁସିରେ ସେ ଶତକ ପୂରଣ ପରେ ସିଟି ମାରି ସେଲିବ୍ରେସନ କରିଛନ୍ତି ।
ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନର ଦ୍ୱିତୀୟ ସେସନରେ ୱେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍ ହୋଇଥିଲା। ମହମ୍ମଦ ସିରାଜ ୪ ୱିକେଟ୍ ଏବଂ ଯଶପ୍ରୀତ ବୁମରା ତିନୋଟି ୱିକେଟ୍ ନେଇଥିଲେ। ଭାରତର ପ୍ରଥମ ଇନିଂସରେ ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଖବର ଲେଖାଯିବା ପର୍ୟ୍ୟନ୍ତ, ଭାରତ ହାତରେ ୭ଟି ୱିକେଟ୍ ସହିତ ୫୬ ରନର ଅଗ୍ରଣୀ ରଖିଛି।
କେଏଲ ରାହୁଲଙ୍କ ଟେଷ୍ଟ ଶତକ ତାଲିକା
୧୧୦: ୨୦୧୫ ଜାନୁଆରୀ ୬ ବନାମ ଅଷ୍ଟ୍ରେଲିଆ
୧୦୮: ୨୦୧୫ ଅଗଷ୍ଟ ୨୦ ବନାମ ଅଷ୍ଟ୍ରେଲିଆ
୧୫୮: ୨୦୧୬ ଅଗଷ୍ଟ ୩୦ ବନାମ ୱେଷ୍ଟଇଣ୍ଡିଜ୍
୧୯୯: ୨୦୧୬ ଡିସେମ୍ବର ୧୬ ବନାମ ଇଂଲଣ୍ଡ
୧୪୯: ୨୦୧୮ ସେପ୍ଟେମ୍ବର ୭ ବନାମ ଇଂଲଣ୍ଡ
୧୨୯: ୨୦୨୧ ଅଗଷ୍ଟ ୧୨ ବନାମ ଇଂଲଣ୍ଡ
୧୨୩: ୨୦୨୧ ଡିସେମ୍ବର ୨୬ ବନାମ ଦକ୍ଷିଣ ଆଫ୍ରିକା
୧୦୧: ୨୦୨୩ ଡିସେମ୍ବର ୨୬ ବନାମ ଦକ୍ଷିଣ ଆଫ୍ରିକା
୧୩୭: ୨୦୨୫ ଜୁନ୍ ୨୦ ବନାମ ଇଂଲଣ୍ଡ
୧୦୦: ୨୦୨୫ ଜୁଲାଇ ୧୦ ବନାମ ଇଂଲଣ୍ଡ
୧୦୦ଞ୍ଚ: ୨୦୨୫ ଅକ୍ଟୋବର ୩ ବନାମ ୱେଷ୍ଟଇଣ୍ଡିଜ୍