ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ ଠିକ୍ ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛି। ଦଳ ମହେଲା ଜୟବର୍ଦ୍ଧନେଙ୍କୁ ପୁଣି ଥରେ ବଡ଼ ଦାୟିତ୍ଵ ଦେଇଛି। ଜୟବର୍ଦ୍ଧନେଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଥରେ ମୁଖ୍ୟ ପ୍ରଶିକ୍ଷକ କରାଯାଇଛି। ସେ ଦଳରେ ମାର୍କ ବାଉଚରଙ୍କ ସ୍ଥାନ ନେବେ। ଜୟବର୍ଦ୍ଧନେଙ୍କ ମୁମ୍ବାଇ ସହିତ ପ୍ରଦର୍ଶନ ବେଶ ଦମଦାର ରହିଛି। ଏହା ପୂର୍ବରୁ ସେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଏବେ ପୁଣି ଥରେ ସେହି ଦାୟିତ୍ବ ବହନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ।
ମାର୍କ ବାଉଚର ୨୦୨୩ ଓ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ। ମାତ୍ର ଏବେ ତାଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ମୁମ୍ବାଇ ଫ୍ରାଞ୍ଚାଇଜ। ଜୟବର୍ଦ୍ଧନେଙ୍କ କୋଚିଂ ସମୟରେ ମୁମ୍ବାଇ ତିନି ଥର ଚାମ୍ପିଅନ ହୋଇଛି। ଦଳ ୨୦୧୭, ୨୦୧୯ ଓ ୨୦୨୦ରେ ଟ୍ରଫି ଜିତିଥିବା ବେଳେ ମୋଟ୍ ୫ ଥର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଜୟବର୍ଦ୍ଧନେଙ୍କୁ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ଗ୍ଲୋବାଲ ହେଡ୍ ଅଫ କ୍ରିକେଟ୍ ପଦରେ ନିଯୁକ୍ତ ଦେଇଥିଲା। ଏହି ସମୟରେ ସେ ଓମେନ୍ସ ପ୍ରିମିୟର ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସର ସାହାଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ମୁମ୍ବାଇ ପାଇଁ ଆଇପିଏଲ୍ ୨୦୨୪ ବହୁତ ନିରାଶଜନକ ରହିଥିଲା। ଦଳ ପଏଣ୍ଟ ଟେବୁଲରେ ନିମ୍ନ ସ୍ଥାନରେ ରହିଥିଲା। ମୁମ୍ବାଇ ମୋଟ୍ ୧୪ଟି ମ୍ୟାଚ୍ରୁ ମାତ୍ର ୪ଟି ଜିତିଥିବା ବେଳେ ୧୦ଟିରେ ପରାସ୍ତ ହୋଇଥିଲା। ଦଳରେ ଅନେକ ବଡ଼ ବଡ଼ ଖେଳାଳି ଥାଇ ସୁଦ୍ଧା ଦଳର ପ୍ରଦର୍ଶନ ଶୋଚନୀୟ ଥିଲା। ତେବେ ଜୟବର୍ଦ୍ଧନେଙ୍କୁ ମୁଖ୍ୟ କୋଚ୍ କରି ଦଳ ବିଜୟ ଟ୍ରାକକୁ ଫେରିବାର ସଙ୍କେତ ଦେଇଛି।