ମୁମ୍ବାଇ: ବୟସ ମାତ୍ର ୧୨ ବର୍ଷ ଝିଅ ହେଲେ ବଲ୍ ଫିଙ୍ଗୁଛନ୍ତି ଏମିତି ବଡ଼ ବଡ଼ ବୋଲର୍ ବି ପଛରେ ପଡ଼ିଯିବେ । ଅନ୍ଦାଜ୍ ପୁରା ତାଲିମପ୍ରାପ୍ତ ଖେଳାଳୀ ଭଳି, ଆକ୍ସନ ଏକଦମ୍ ଭାରତର ପୂର୍ବତନ ଦ୍ରୁତ ବୋଲର୍ ଜାହିର୍ ଖାନଙ୍କ ଭଳି । ସେଥିପାଇଁ ଝିଅଟିକୁ ‘ଲେଡି ଜାହିର୍ ଖାନ୍’ ବୋଲି ଟ୍ୟାଗ୍ ଦେଇଛନ୍ତି ଦିଗ୍ଗଜ କ୍ରିକେଟ୍ ଖେଳାଳୀ ସଚିନ ତେନ୍ଦୁଲକର । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ରାଜସ୍ଥାନର ଝିଅ ସୁଶୀଲା ମୀନା । ବୟସ ମାତ୍ର ୧୨ ବର୍ଷ । ବାମ ହାତରେ କରୁଛନ୍ତି ଦମଦାର ବୋଲିଂ । ସେ ନେଟ୍ ପ୍ରାକ୍ଟିସ୍ କରୁଥିବାବେଳର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଝିଅଟି ଖାଲି ପାଦରେ ଖେଳୁଛି । ନା ଅଛି କିଛି ଆନୁସାଙ୍ଗିକ ସରଞ୍ଜାମ ନା ଅଛି ଜୋତା । ତଥାପି ତାଙ୍କ ହାତ ପାଦ ଥମୁନି । ଭିଡ଼ିଓଟିକୁ ଦେଖିବା ପରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ମଧ୍ୟ ପ୍ରଶଂସା ନ କରି ରହି ପାରିନଥିଲେ । ସେ ମଧ୍ୟ ଭିଡ଼ିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଭିଡ଼ିଓକୁ ପୋଷ୍ଟ କରିଛନ୍ତି । ସେ ଜାହିର ଖାନଙ୍କୁ ମଧ୍ୟ ଭିଡ଼ିଓଟି ଟ୍ୟାଗ୍ କରି କହିଛନ୍ତି ତୁମେ ମଧ୍ୟ ଏହାକୁ ଦେଖିଥିବ ।