ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର ନାଥନ ମ୍ୟାକସ୍ଵିନିଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ତାଙ୍କୁ ପରବର୍ତ୍ତୀ ଦୁଇଟି ଟେଷ୍ଟରୁ ବାଦ୍ ଦିଆଯାଇଛି। ମ୍ୟାକସ୍ଵିନି ସ୍ଵୀକାର କରିଛନ୍ତି ଯେ, ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ରେ ଦଳରେ ସ୍ଥାନ ନ ମିଳିବାରୁ ସେ ଭାଙ୍ଗି ପଡ଼ିଛନ୍ତି। କିନ୍ତୁ ସେ କଠୋର ପରିଶ୍ରମ କରି ପୁନର୍ବାର ଦଳରେ ସ୍ଥାନ ପାଇବାକୁ ଚେଷ୍ଟା କରିବେ।କ୍ରିକେଟ୍ ଅଷ୍ଟ୍ରେଲିଆ ମ୍ୟାକସ୍ଵିନିଙ୍କ ଖରାପ ପ୍ରଦର୍ଶନ ପରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟର ସାମ୍ କୋଣ୍ଟାସଙ୍କୁ ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ସ୍ଥାନ ମିଳିଛି।
ମ୍ୟାକସ୍ଵିନି ଚ୍ୟାନେଲ ସେଭେନ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ଭାଙ୍ଗି ପଡ଼ିଛି। ଅଷ୍ଟ୍ରେଲିଆ ପାଇଁ ଖେଳିବାର ମୋର ସ୍ଵପ୍ନ ପୂରଣ ହୋଇଛି, ମାତ୍ର ସେହି ଧରଣର ହୋଇ ପାରିଲା ନାହିଁ। କିନ୍ତୁ ଖେଳରେ ଏମିତି ହୋଇଥାଏ। ମୁଁ କଡ଼ା ପରିଶ୍ରମ କରି ଆଗାମୀ ସୁଯୋଗ ପାଇଁ ନିଜକୁ ପ୍ରସ୍ତୁତି କରିବି।
୨୫ ବର୍ଷର ମ୍ୟାକସ୍ଵିନି ପର୍ଥ ଟେଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଛି। ମାତ୍ର ଗତ ଛଅଟି ଇନିଂସରେ ସେ ୧୦, ୦, ୩୯, ଅପରାଜିତ ୧୦, ୯ ଓ ୪ ରନ କରିଛନ୍ତି। ତାଙ୍କୁ ଏହି ସିରିଜ୍ରେ ଚାରି ଥର ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଉଟ୍ କରିଚନ୍ତି।
ମ୍ୟାକସ୍ଵିନି କହିଛନ୍ତି, କ୍ରିକେଟ୍ ହିଁ ଏମିତି ହୋଇଥାଏ। ସୁଯୋଗ ପାଇବା ପରେ ଭଲ ପ୍ରଦର୍ଶନ ନ କଲେ ଆପଣଙ୍କ ସ୍ଥାନ ସୁରକ୍ଷିତ ନୁହେଁ। ମୁଁ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିଲିନି। ଏବେ ପୁଣି ପରିଶ୍ରମ କରି ଦଳକୁ ଫେରିବାକୁ ଚେଷ୍ଟା କରିବି।
ସୂଚନାଯୋଗ୍ୟ, ବିଜିଟିର ପ୍ରଥମ ତିନୋଟି ଟେଷ୍ଟରେ ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ବହୁତ ଅଡ଼ୁଆରେ ପକାଇଛନ୍ତି। ବିଶେଷ କରି ମ୍ୟାକସ୍ଵିନିଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇ ନାହାନ୍ତି ବୁମରା। ଏହି ନବାଗତ ବ୍ୟାଟର ବୁମରାଙ୍କ ୪ ଥର ଶିକାର ହୋଇଛନ୍ତି।