ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ରବିନ ଉଥପ୍ପାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଉଥପ୍ପାଙ୍କ ଉପରେ ଇପିଏଫଓ ଫଣ୍ଡରେ ଦୁର୍ନୀତିର ଅଭିଯୋଗ ହୋଇଛି । ପୂର୍ବତନ ଭାରତୀୟ ବ୍ୟାଟରଙ୍କ ଉପରେ ୨୩ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି ।
ନ୍ୟୁଜ ଏଜେନ୍ସି ଆଇଏନଏସର ରିପୋର୍ଟ ମୁତାବକ ସେଞ୍ଚୁରୀ ଲାଇଫ ଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡକୁ ମ୍ୟାନେଜ କରିବା ସମୟରେ କର୍ମଚାରୀଙ୍କ ଦରମାରୁ ୨୩ ଲକ୍ଷ ଟଙ୍କା କଟାଯାଇଥିବା ଉଥପ୍ପାଙ୍କ ବିରୋଧରେ ଅଭିଯୋଗ ହୋଇଛି । କର୍ମଚାରୀଙ୍କ ଦରମାରୁ ଏତେ ମୋଟା ଅଙ୍କର ଅର୍ଥ କଟିଥିଲେ ମଧ୍ୟ ଉଥପ୍ପା ଜମା କରି ନ ଥିବା କୁହାଯାଇଛି ।
ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ଏହି ୱାରେଣ୍ଟ ପିଏଫ ରିଜିଓନାଲ କମିଶନର ଶଦାକ୍ଷରୀ ଗୋପାଳ ରେଡ୍ଡୀ ଦ୍ୱାରା ଜାରି କରାଯାଇଛି । କର୍ଣ୍ଣାଟକ ପୋଲିସକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି । ଅଧିକାରୀ କହିଛନ୍ତି, ଡିସେମ୍ବର ୪ରେ ୱାରେଣ୍ଟଜାରି କରାଯାଇଥିଲା । କିନ୍ତୁ ପୁଲକେଶିନଗର ବାସଭବନରେ ଉଥପ୍ପା ନ ଥିବା କାରଣରୁ ଏ ୱାରେଣ୍ଟକୁ ଫେରାଇ ନିଆଯାଇଛି । କୁହାଯାଉଛି ଉଥପ୍ପା ନିଜ ପରିବାର ସହିତ ଦୁବାଇରେ ରହୁଛନ୍ତି ।
ଏହି ମାମଲାରେ ଏ ପର୍ଯ୍ୟନ୍ତ ଉଥପ୍ପାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି । ଏବେ ଦେଖିବାକୁ ବାକି ରହିଲା ଯେ, ଉଥପ୍ପା ଏହି ମାମଲାରେ କଣ କହୁଛନ୍ତି । ସୂଚନାଯୋଗ୍ୟ, ଉଥପ୍ପା ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୪୬ ଦିନିକିଆ ଓ ୧୩ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ୪୨ ଇନିଂସରୁ ସେ ୨୫.୯୪ ହାରରେ ୯୩୪ ରନ କରିଛନ୍ତି । ଏଥିରେ ୬ ଅର୍ଦ୍ଧଶତକ ସାମଲ । ୧୨ଟି ଟି-୨୦ ଇନିଂସରୁ ୨୪୯ ରନ କରିଛନ୍ତି । ଉଥପ୍ପା ୨୦୦୬ ଏପ୍ରିଲରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।