ମେଲବର୍ଣ୍ଣ: ବହୁ ନାଟକୀୟ ମୋଡ ପରେ ଶେଷରେ ମେଲବର୍ଣ୍ଣରେ ଖେଳା ଯାଉଥିବା ବକ୍ସିଂ ଡେ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଭାରତକୁ ୧୮୪ ରନର ବିଶାଳ ବ୍ୟବଧାନରେ ହରାଇଛି । ଏହି ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫିରେ ଘରୋଇ ଦଳ ୨-୧ରେ ଆଗୁଆ ରହିଛି । ଶେଷ ଦୁଇ ଘଣ୍ଟାରେ ଭାରତୀୟ ବ୍ୟାଟର ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ଡ୍ର ହେବାକୁ ଯାଉଥିବା ମ୍ୟାଚକୁ ଅଷ୍ଟ୍ରେଲିଆ ହାତରେ ଟେକି ଦେଇଛନ୍ତି । ବିଶେଷ କରି ବରିଷ୍ଠ ଖେଳାଳିଙ୍କ ଖରାପ ପ୍ରଦର୍ଶନ ଭାରତର ପରାଜୟର ବଡ କାରଣ ପାଲଟିଛି । ଏକଦା ୧୨୧ ରନରେ ୩ ୱିକେଟ୍ ହରାଇଥିବା ଭାରତ ୩୪ ରନରେ ଶେଷ ୭ ୱିକେଟ୍ ହରାଇ ଲଜ୍ଜାଜନକ ପରଜାୟବରଣ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୩୪୦ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ମ୍ୟାଚର ଅନ୍ତିମ ଦିନର ଶେଷ ସେସନରେ ୧୫୫ ରନରେ ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲଙ୍କ ୮୪ ରନର ଇନିଂସ ଓ ଋଷଭ ପନ୍ତଙ୍କ ୩୦ ରନକୁ ବାଦ ଦେଲେ ବାକି ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି । ଦ୍ୱିତୀୟ ଇନିଂସରେ ପାଟ୍ କମିନ୍ସ ଓ ସ୍କଟ ବୋଲାଣ୍ଡ ୩ଟି ଲେଖାଏଁ ୱିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଅଷ୍ଟ୍ରେଲିଆ ପଞ୍ଚମ ଦିନ ଖେଳ ଆରମ୍ଭରୁ ଦ୍ୱିତୀୟ ଇନିଂସରେ ୨୩୪ ରନ କରି ଅଲଆଉଟ୍ ହୋଇଥିଲା । ଲାୟନଙ୍କୁ ବୋଲ୍ଡ କରି ବୁମରା ପୁଣି ୫ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତକୁ ମିଳିଥିଲା ୩୪୦ ରନର ବିଜୟ ଲକ୍ଷ୍ୟ । ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୯ ରନ କରି ଆଉଟ୍ ହୋଇଥିଲେ । କେଏଲ ରାହୁଲ ଖାତା ବି ଖୋଲି ପାରି ନ ଥିଲେ । ରୋହିତଙ୍କ ପରି ବିରାଟ କୋହଲି ମଧ୍ୟ ନିରାଶ କରିଥିଲେ । ସେ ୫ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଯଶସ୍ୱୀ ଜୟସ୍ୱାଲ କ୍ରିଜରେ ଭାରତର ଇନିଂସ ସମ୍ଭାଳିଥିଲେ । ୩୩ ରନରେ ପ୍ରଥମ ୩ ୱିକେଟ୍ ହରାଇବା ପରେ ଜୟସ୍ୱାଲ ଓ ପନ୍ତ ଇନିଂସ ସଜାଡିବାକୁ ଚେଷ୍ଟା କରିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୮୮ ରନ ଯୋଡିଥିଲେ ।
ପନ୍ତ ୩୦ ରନ କରି ଆଉଟ୍ ହେବା ସହ ଭାରତ ୱିକେଟ୍ ପତନ ଆରମ୍ଭ ହୋଇଥିଲା । ରବୀନ୍ଦ୍ର ଜାଡେଜା ୨ ରନ, ନୀତିଶ କୁମାର ରେଡ୍ଡୀ, ଆକାଶଦୀପ ୭ ରନ କରି ଆଉଟ୍ ହୋଇଥିଲେ । ବୁମରା ଓ ମହମ୍ମଦ ସିରାଜ ଖାତା ଖୋଲି ପାରି ନ ଥିଲେ । ଜୟସ୍ୱାଲ ୮୪ ରନର ଇନିଂସ ଖେଳି ବିବାଦୀୟ ଢଙ୍ଗର କ୍ୟାଚ୍ ଆଉଟ୍ ହୋଇଥିଲେ । ଜୟସ୍ୱାଲଙ୍କ ଆଉଟ୍ ସହ ଭାରତର ପରାଜୟ ସୁନିଶ୍ଚିତ ହୋଇ ଯାଇଥିଲା । ସୁନ୍ଦର ୫ ରନ କରି ଅ ପରାଜିତ ଥିଲେ । ଏକଦା ୧୨୧ ରନରେ ୩ ୱିକେଟ୍ ହରାଇଥିବା ଭାରତ ୩୪ ରନରେ ଶେଷ ୭ ୱିକେଟ୍ ହରାଇ ଲଜ୍ଜାଜନକ ପରଜାୟବରଣ କରିଛି ।