ଭୁବନେଶ୍ୱର: ରାଜ୍ୟ ସରକାର ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହା ଦ୍ୱାରା ଲୋକଙ୍କୁ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ କାର୍ଡ ମିଳିବ । ଯେଉଁଥିରେ ଜଣେ ରୋଗୀର ସମସ୍ତ ଡାଟା ରହିବ । ଫଳରେ ରୋଗୀଙ୍କୁ ଆଉ ପ୍ରେସ୍କ୍ରିପସନ ଧରି ବୁଲିବାକୁ ପଡ଼ିବ ନାହିଁ । ଆଜି ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସମସ୍ତେ ଆଭା କାର୍ଡରେ ନିଜର ନାମ ପଞ୍ଜିକରଣ କରିବେ । ସମସ୍ତଙ୍କୁ ଆୟୁଷ୍ମାନ ଭାରତ ସହିତ ଆଭା କାର୍ଡ ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ QR କୋଡ୍ ରହିବ । ଏହି କାର୍ଡରେ ରୋଗୀର ସମସ୍ତ ତଥ୍ୟ ରହିବ । ରୋଗୀ ଯେଉଁଠାକୁ ଯିବେ ସେଠାରେ ନିଜର କାର୍ଡରେ ଥିବା QR କୋଡ୍ କୁ ସ୍କାନ କଲେ ରୋଗ ବାବଦରେ ସମସ୍ତ ତଥ୍ୟ ମିଳି ଯିବ । ଏହା ଦ୍ୱାର ରୋଗୀଙ୍କୁ ନିଜର ପ୍ରେସ୍କ୍ରିପସନ ଧରି ବୁଲିବାକୁ ପଡ଼ିବ ନାହିଁ ଏବଂ ପ୍ରେସ୍କ୍ରିପସନ୍ ହଜିଗଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଫେବୃଆରୀ ମାସ ପୂର୍ବରୁ କାର୍ଡ ବାଣ୍ଟିବାକୁ ଯୋଜନା ରଖିଛନ୍ତି ସରକାର ।