ଭୁବନେଶ୍ୱର : ଶନିବାର ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି । ତା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସାଂସଦ ଖୁବ୍ ପ୍ରଶଂସା କରିଛନ୍ତି । ଏଥିସହ ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସାଂସଦ ଅପରାଜିତା ପ୍ରତିଶ୍ରୁତି ଦେଇଛନ୍ତି । ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ । ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ସଂଶ୍ଳିଷ୍ଟ ରହି ସେମାଙ୍କର ଭୂମିକାକୁ ସଠିକ୍ ଭାବରେ ନିଭାଉଛନ୍ତି । ଯାହାର ସେ ଖୁବ୍ ପ୍ରଶଂସା କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ ୧୨ ଏକରରୁ ଅଧିକ ଜମି ପ୍ରଦାନ କରିଛି । ତେବେ ଆଉ ଆବଶ୍ୟକ ଥିବା ୧ ଏକର ୨୩ ଡିସିମିଲ ଜମି ପାଇଁ ବିଡିଏକୁ ପୂର୍ବତଟ ରେଳବିଭାଗ ନିବେଦନ କରିଛି। ତାହା ମଧ୍ୟ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ଏହାବାଦ୍ ରେଳ ଷ୍ଟେସନକୁ ସଂଯୋଗକରିବା ଲାଗି ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି । ତେବେ ବିଡିଏ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଅପରାଜିତା କହିଛନ୍ତି ।
ସୂଚନା ଥାଉକି ୨୦୨୩ ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ । ଯେଉଁଥିଲାଗି ୪୧୮କୋଟି ଟଙ୍କାର ବ୍ଯୟ ଅଟକଳ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ସରିଲାଣି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ ବୋଲି ଅପରାଜିତା କହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ ବର୍ତ୍ତମାନ ଦୈନିକ ୭୦ରୁ ୮୦ହଜାର ଲୋକଙ୍କୁ ସେବା ଯୋଗାଉଛି । ଆଗକୁ ଏହାର କ୍ଷମତା ୧ ଲକ୍ଷ ୪୪ ହଜାରକୁ ବୃଦ୍ଧି ପାଇବ । ବିଭିନ୍ନ ପ୍ରକାରର ଫୁଡ୍ କୋର୍ଟ, ସପିଂ ମଲ୍, ଦୋକାନ ବଜାର ସ୍ଥାପନ ଦ୍ୱାରା ଯାତ୍ରୀମାନେ ଏଠାରେ ଅତ୍ୟାଧୁନିକ ସେବାମାନ ପାଇପାରିବେ । ତାହା ସହ ରେଳ ଷ୍ଟେସନର କାନ୍ଥସବୁ ଓଡ଼ିଶାର ଉନ୍ନତ କଳା ସଂସ୍କୃତିକୁ ବଖାଣିବ । ଆଗକୁ ମଧ୍ୟ ମଝିରେ ମଝିରେ ଏମିତି ସମୀକ୍ଷା କାର୍ଯ୍ୟ ଜାରି ରହିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।