ଭୁବନେଶ୍ୱର: ଆଉ ଦିନକ ପରେ ରାଜଧାନୀରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ଜନତା ମୈଦାନରେ ଏହି ସମ୍ମିଳନୀ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ଭୁବନେଶ୍ୱର ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିବାକୁ ଆଗୁଆ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ।
୮ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସେହିପରି ୧୦ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଆସି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ । ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହାକୁ ମହାଆଡମ୍ବରପୂର୍ଣ୍ଣ ଭାବେ ପାଳି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହିତ ଓଡ଼ିଶା ଦେବ ଶ୍ରେଷ୍ଠ ଅତିଥୀ ପରାୟଣତାର ବାର୍ତ୍ତା । ଏଥିପାଇଁ ପୂରା ଓଡ଼ିଶା ପ୍ରସ୍ତୁତ ହୋଇ ରହିଛି ।
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୁତି, ଐତିହ୍ୟ ଓ ପର୍ଯ୍ୟଟନର ବିଶ୍ୱବ୍ୟାପି ଏହାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ଏକାକାଳୀନ ୧୦ଟି ମେଗା ଉତ୍ସବର ଆୟୋଜନ କରାଯାଉଛି । ଗଳିକନ୍ଦିରୁ ରାଜରାସ୍ତା ସବୁଠି ରଙ୍ଗବେରଙ୍ଗର ଚିତ୍ର ଅଙ୍କାଯିବା ସହ ଝୋଟିରେ ଚିତା ଅଙ୍କା ଯାଉଛି । ସହରର ପ୍ରମୁଖ କାନ୍ଥରେ ସୌନ୍ଦର୍ଯ୍ୟକରଣ କରାଯିବା ସହ ରଙ୍ଗୀନ ଆଲୋକମାଳାରେ ଏହା ସଜେଇ ହୋଇଛି । ଏହି ସମ୍ମିଳନୀ ଜରିଆରେ ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ଖାଦ୍ୟର ମଜା ନେବା ସହିତ ମେଳାରେ ପ୍ରସିଦ୍ଧ ଓଡ଼ିଶା ହସ୍ତକଳାର ସାମଗ୍ରୀ କିଣାକିଣି ବି କରିପାରିବେ ।