କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସୌର ଶୀତଳଭଣ୍ଡାର ଏବେ ଅଚଳ ହୋଇ ପଡି ରହିଛି । ନିର୍ମାଣ ହେବାର ମାସ ରୁ ୨ ମାସ ଭିତରେ ଏହା କାର୍ଯ୍ୟକାରୀ ହୋଇଛି, କିନ୍ତୁ ଏହା ପରଠାରୁ ବନ୍ଦ ହୋଇପଡିବାରୁ ସ୍ଥାନୀୟ ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ଶୀତଳ ଭଣ୍ଡାର ନିର୍ମାଣ ହେବା ୟା ଭିତରେ ମାତ୍ର ୨ ବର୍ଷ ବିତିଛି, କିନ୍ତୁ ତାହା ଚାଷୀଙ୍କ କାମରେ ଆସୁନାହିଁ । କେଉଁଠି ମେସିନ୍ ସବୁ ପଡି ପଡି କଳଙ୍କି ଲାଗିଗଲାଣି ତ, ଆଉ କେଉଁଠି ଶୀତଳଭଣ୍ଡାରରେ ତାଲା ଝୁଲୁଛି । କେନ୍ଦ୍ରାପଡା ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଭାବେ ପରିଚିତ । ଧାନ ଏବଂ ରବି ଫସଲ ପରେ ଆଳୁ ଚାଷ ଜିଲ୍ଲାର ତୃତୀୟ ସର୍ବାଧିକ ଚାଷ କରାଯାଉଥିବା ଫସଲ । ଜିଲ୍ଲାର ପ୍ରାୟ ୨୦ ହଜାରରୁ ଅଧିକ ଚାଷୀ ପ୍ରତିବର୍ଷ ଆଳୁ ଚାଷ କରିଥାଆନ୍ତି । କିନ୍ତୁ ଶୀତଳଭଣ୍ଡାର ନଥିବାରୁ ଆଳୁ ମାସେ କି ଦୁଇ ମାସ ମଧ୍ୟରେ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।ସେହିପରି ପରିବା ଚାଷ ମଧ୍ୟ ସଂରକ୍ଷଣ ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। କିନ୍ତୁ ଏ ଯାଏ ସ୍ଥାନୀୟ ଚାଷୀ ଏହାର ସୁଯୋଗ ନ ପାଇବାରୁ ବାଧ୍ୟ ହୋଇ ନିଜ ଉତ୍ପାଦିତ ଫସଲକୁ ଶାଗମାଛ ଦରରେ ବିକୁଛନ୍ତି ।