ନୂଆଦିଲ୍ଲୀ: ଏଚଏମପିଭି ଭାଇରସକୁ ନେଇ ଏବେ କୋକୁଆ ଭୟ ଦେଖା ଦେଇଛି। ଭାରତରେ ଏ ପର୍ଯ୍ୟନ୍ତ ଛଅ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ତେବେ ଏଚଏମପିଭିକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଏଚଏମପିଭି ଭାଇରସ୍କୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏହା କୌଣସି ନୂଆ ଭାଇରସ୍ ନୁହେଁ। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି।
ସ୍ଵାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ, ଏଚଏମପିଭି କୌଣସି ନୂଆ ଭାଇରସ୍ ନୁହେଁ। ପ୍ରଥମ ଥର ୨୦୦୧ରେ ଏହି ଧରଣର ଭୂତାଣୁ ଚିହ୍ନଟ ହୋଇଥିଲା ଏବଂ ଅନେକ ବର୍ଷ ଧରି ପୂରା ଦୁନିଆରେ ବ୍ୟାପି ରହିଥିଲା। ଏଚଏମପିଭି ନିଃଶ୍ଵାସରୁ ବାୟୁ ଜରିଆରେ ବ୍ୟାପୁଥିବା ଏକ ଭୂତାଣୁ। ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବିଶେଷ କରି ଏହି ଭାଇରସ୍ ଶୀତ ଋତୁ ଓ ବସନ୍ତ ମାସର ଆରମ୍ଭରେ ଅଧିକ ବ୍ୟାପିଥାଏ।
ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଚୀନରେ ଏଚଏମପିଭିର ସଦ୍ୟତମ ରିପୋର୍ଟ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଓ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଚୀନ ସହିତ ପଡ଼ୋଶୀ ଦେଶର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ମଧ୍ୟ ସ୍ଥିତି ଉପରେ ନଜର ରଖିଛି ଏବଂ ନିଜର ରିପୋର୍ଟ ଭାରତ ସହ ସେୟାର କରିବ। ଆଇସିଏମଆର ନିକଟରେ ଥିବା ତଥ୍ୟ ଅନୁସାରେ ଏଚଏମପିଭି ଭାଇରସ୍ ଭାରତରେ ଅନ୍ୟ ଶ୍ଵାସଜନିତ ରୋଗଠୁ କୌଣସି ଭିନ୍ନ ନାହିଁ। ଏହା କୌଣସି ନୂଆ ଭାଇରସ୍ ନୁହେଁ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସ୍ଥିତିର ସମୀକ୍ଷା ପାଇଁ ଜାନୁଆରୀ ୪ରେ ସ୍ଵାସ୍ଥ୍ୟ ସେବାର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ନିରୀକ୍ଷଣ ବୈଠକ ହୋଇଛି। ଏଚଏମପିଭି ଭାଇରସ୍ ସଂକ୍ରମଣକୁ ନେଇ ଦେଶର ସ୍ଵାସ୍ଥ୍ୟ ଏଜେନ୍ସି ଆଲର୍ଟ ରହିଛି। ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।