ଚିଲିକା: ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ତିଆରି ହେବ ପକ୍ଷୀ ସଂଗ୍ରହାଳୟ ବା ବାର୍ଡ ମ୍ୟୁଜିୟମ୍ । ଆଜି ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋମବାର ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦଘାଟନ କରି ଏହି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ବାର୍ଡ଼ ମ୍ୟୁଜିୟମ ହେବ ସେ ନେଇ ବିଭାଗ ବିଚାର କରୁଛି । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ବା ସିଡିଏ ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଅତିଥି ଓଡ଼ିଶା ଆସୁଛନ୍ତି । ସେହି ପ୍ରବାସୀ ଭାରତୀୟଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।
ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଵତନ୍ତ୍ର ସ୍ଥାନ ରହିଥିବା ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ନିମନ୍ତେ କେଉଁ ଅନାଦି କାଳରୁ ଚିଲିକା ପାଲିଟିଯାଇଛି ଏକ ପକ୍ଷୀ ତୀର୍ଥ । ସୁଦୂର ସାଇବେରିଆ, ଋଷିଆ,ମଧ୍ୟ ଓ ଦକ୍ଷିଣ ପୂର୍ବ ଏସିଆ, ମଙ୍ଗୋଲିଆ, ପ୍ରଭୃତି ଅଞ୍ଚଳରୁ ଆସୁଥିବା ଏହି ପକ୍ଷୀମାନଙ୍କ ଦ୍ୱାରା ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିପାଏ । ଗତ ଜାନୁୟାରୀ ୨୦୨୪ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଯାୟୀ ଚିଲିକାକୁ ପ୍ରାୟ ୧୮୭ ପକ୍ଷୀ ପ୍ରଜାତିର ୧୧.୩୭ ଲକ୍ଷ ପକ୍ଷୀ ଆସୁଛନ୍ତି । ଏହି ସମାହାରକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଏହି ଜାତୀୟ ସ୍ତରର ଚିଲିକା ବିହଙ୍ଗ ଉତ୍ସବର ଆୟୋଜନ ହୋଇଛି।