ନୂଆଦିଲ୍ଲୀ/ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜମ୍ମୁରୁ ଆଭାସୀ ଜରିଆରେ ଯୋଡ଼ି ହୋଇ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି । ଓଡ଼ିଶାରେ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ରହିଛି । ଓଡ଼ିଶାରେ ଇଣ୍ଟରନ୍ୟାସନାଲ ଟ୍ରେଡ୍ର ପ୍ରବଳ ସମ୍ଭାବନା ରହିଛି । ଅନେକ ନୂଆ ପ୍ରକଳ୍ପର ନିର୍ମାଣ ଚାଲିଛି । ୭୦ ହଜାର କୋଟି ନିବେଶ କରାଯାଇଛି । ରାଜ୍ୟରେ ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଛି । ରାୟଗଡ଼ା ରେଳ ଡିଭିଜନ ଦ୍ୱାର ବିଶେଷକରି ଦକ୍ଷିଣ ଓଡ଼ିଶାର ବିକାଶ ହେବ । ସେଠାରେ ଥିବା ଜନଜାତି ସମ୍ପ୍ରଦାୟ ସବୁଠୁ ବେଶୀ ଉପକାର ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାୟଗଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପ୍ରଦୀପ ପାଣିଗ୍ରାହୀ ଓ ସପ୍ତଗିରି ଉଲ୍ଲାକାଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।