ନୂଆଦିଲ୍ଲୀ: ମହାମାରୀ କରୋନାର ଭୟ ଏବେ ଲୋକଙ୍କ ମନରେ ସତେଜ ହୋଇ ରହିଛି । ଏହା ମଧ୍ୟରେ ପୁଣି ଥରେ ଚୀନରେ ନୂଆ ଭାଇରସର ଆତଙ୍କ ଦେଖା ଦେଇଛି । ଚୀନରେ ଗତ କିଛି ଦିନ ଧରି ବ୍ୟାପିଥିବା ନୂଆ ଭାଇରସକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନର ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି । ଏହାଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ଭୂତାଣୁର ସ୍ଥିତି ଉପରେ ସଠିକ୍ ସୂଚନା ଉପଲବ୍ଧ କରାଇବା ପାଇଁ ଅନୁରୋଧ କରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବୟାନ ଜାରି କରି ହ୍ୟୁମନ୍ ମେଟାନ୍ୟୁମୋଭାଇରସକୁ ନେଇ ସୂଚନା ଦେଇଛି । ଏହାସହ ଏହି ଭୂତାଣୁକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି । କେନ୍ଦ୍ର ଏହି ମାମଲା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ବର୍ତ୍ତମାନର ପାଣିପାଗରେ ଏହିପରି ଭାଇରସର ପ୍ରଭାବ ଦେଖିବାକୁ ମିଳିଥାଏ । ଚୀନର ସ୍ଥିତି ବର୍ତ୍ତମାନ ସାମାନ୍ୟ ରହିଛି । ଭାଇରସକୁ ନେଇ ଆସିଥିବା ରିପୋର୍ଟ ଦର୍ଶାଉଛି ଯେ ଗତ କିଛି ଦିନ ଭିତରେ ଯେଉଁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି, ତାହା ମୁଖ୍ୟତଃ ଇନଫ୍ଲୁଏଞ୍ଜା ଭାଇରସ, ଆରଏସଭି, ଏଚ୍ଏମ୍ପିଭି କାରଣରୁ । ଏହା ସାଧାରଣ ରୋଗ ଏଭଳି ପାଣିପାଗରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ।\'
ଦେଶରେ ବ୍ୟାପିଥିବା ଭୂତାଣୁର ପ୍ରକୋପ ଖବରକୁ ଚୀନ ଖଣ୍ଡନ କରିଛି ଏବଂ ଏଭଳି ଖବରକୁ ବିଶ୍ୱାସ ନକରିବା ପାଇଁ ଅପିଲ୍ କରିଛି। ପ୍ରତିବର୍ଷ ଶୀତ ଦିନରେ ଶ୍ୱାସଜନତି ସମସ୍ୟା ଦେଖାଯାଇଥାଏ ବୋଲି ଚୀନ କହିଛି । ଚଳିତ ବର୍ଷ ଯେଉଁସବୁ ମାମଲା ସାମନାକୁ ଆସିଛି, ତାହା ଗତବର୍ଷ ତୁଳନାରେ କମ ଗମ୍ଭୀର ରହିଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଚୀନର ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ଭିଡ ଜମୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଥିବା ନଜର ଆସୁଛି । ଅନ୍ୟପଟେ କିନ୍ତୁ ଚୀନ ବିଦେଶ ମନ୍ତ୍ରଣାଳୟ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି ।