ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁରରେ IED ବିସ୍ଫୋରଣ ମାମଲାରେ ୯ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲାଲାବାହିନୀକୁ କଡ଼ା ଚେତାବନୀ ଦେଇଛନ୍ତି । ନିଜ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଛତିଶଗଡ଼ ବିଜାପୁରରେ ଯେଉଁ ଆଇଇଡି ବିସ୍ଫୋରଣ ହୋଇଛି, ସେଥିରେ ଡିଆରଜି ଯବାନ ସହୀଦ ହୋଇଛନ୍ତି । ଏନେଇ ଦୁଃଖ ପ୍ରକାଶ କରିବା ସହ ବୀର ଯବାନଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି ଏବଂ ଏଥିସହ କେନ୍ଦ୍ରଗୃହମନ୍ତ୍ରୀ କହିଛନ୍ତି ବୀର ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନାହିଁ । ୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତ ଭୂମିରୁ ନକ୍ସଲବାଦକୁ ସମାପ୍ତ ହୋଇଯିବ । ଦେଶରୁ ନକ୍ସଲବାଦକୁ ସମାପ୍ତ କରିବାର ସମସ୍ତ କ୍ଷମତା ଭାରତ ପାଖରେ ରହିଛି । ସେଥିପାଇଁ ୨୦୨୬ ସୁଦ୍ଧା ଯେଉଁ ଆହ୍ୱାନ ନିଆଯାଇଛି, ତାହା ଭାରତ ପୂରା କରିବ ବୋଲି ଚେତାବନୀ ଦେଇଛନ୍ତି ଶାହା ।
ସୋମବାର ବିଜାପୁରରେ ଏକ ବଡ଼ ଧରଣର ମାଓ ଆକ୍ରମଣ ଦେଖିବାକୁ ମିଳିଛି । ବିଜାପୁର ଜିଲ୍ଲାର କୁତ୍ରୁ-ବେଦ୍ରେ ରାସ୍ତାରେ ଯବାନମାନେ ଜଏଣ୍ଟ ଅପରେସନ୍ ସାରି ଦନ୍ତେୱାଡ଼ା ଜିଲ୍ଲା ଅଭିମୁଖେ ଏକ ସ୍କର୍ପିଓ ଗାଡ଼ିରେ ଫେରୁଥିଲେ । ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ୍ ସମୟରେ ଉକ୍ତ ରାସ୍ତାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ପ୍ରାୟ ୪୦ରୁ ୫୦ ଫୁଟ୍ ଉପରକୁ ଉଠିଯାଇଥିଲା ଏବଂ ଉକ୍ତ ସ୍ଥାନରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି IED ବିସ୍ଫୋରଣରେ ଯବାନଙ୍କ ଗାଡ଼ି ଛିନ୍ ଛତର୍ ହୋଇଯିବା ସହ ୯ ଯବାନ ସହିଦ ହୋଇଛନ୍ତି ।