ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହେବ କୁମ୍ଭ ମେଳା । ଏହି ପବିତ୍ର ମହାକୁମ୍ଭରେ ବୁଡ଼ ପକାଇବାକୁ ପ୍ରାୟ ୨୫ କୋଟି ଶ୍ରଦ୍ଧାଳୁ ଆସିବେ ବୋଲି ଅନୁମାନ କରାଯାଉଛି । ଏହା ସହିତ ସେହି ଦିନ ମାନଙ୍କରେ ୩ କୋଟି ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ମଧ୍ୟ ଅଯୋଧ୍ୟା ମଧ୍ୟ ଯାଇପାରନ୍ତି । ଏଥିପାଇଁ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶରେ ଜୋରଦାର ପ୍ରସ୍ତୁତି ଚାଲୁଥିବାବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରରେ ସୁରକ୍ଷାର ବଡ଼ ତ୍ରୁଟି ଥିବା ଦେଖାଯାଇଛି । ଜଣେ ବ୍ୟକ୍ତି ନିଜର ଚଷମାରେ କ୍ୟାମେରା ଲଗାଇ ସୁରକ୍ଷାବଳଙ୍କୁ ଚକମା ଦେଖାଇ ରାମ ମନ୍ଦିର ଫଟୋ ଉତ୍ତୋଳନ କରୁଥିବା ଜଣାପଡ଼ିଛି ।
ବ୍ୟକ୍ତି ଜଣକ ରାମଲାଲାଙ୍କ ଦର୍ଶନ କରିବାକୁ ଆସି ଏକ କଳା ରଙ୍ଗର ସାଧାରଣ ଚଷମା ପିନ୍ଧି ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିରର ପ୍ରବେଶ ପଥରେ ଥିବା ସମସ୍ତ ଚେକିଂ ପଏଣ୍ଟରେ ମଧ୍ୟ ତାର ଚେକିଂ କରାଯାଇଥିଲା । କିନ୍ତୁ ତାର କେହି ଟେର୍ ପାଇ ନ ଥିଲେ । ସମସ୍ତଙ୍କ ଆଖିରେ ଧୂଳି ଦେଇ ମନ୍ଦିର ପରିସରରେ ଫଟୋ ଉଠାଉଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇଥିଲେ । ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିକୁ ଗୁଇନ୍ଦା ବିଭାଗକୁ ହସ୍ତାନ୍ତର କରିଛନ୍ତି । ତା ନିକଟରୁ ଜବତ କରାଯାଇଥିବା ଚଷମାରେ କ୍ୟାମେରା ଲେନ୍ସ ଲଗାଯାଇଥିବା ଜଣାପଡ଼ିଛି । ଫ୍ରେମର ଦୁଇ ପାର୍ଶ୍ୱରେ ଲେନ୍ସ ଲାଗିଛି । ତେବେ ଗୁଇନ୍ଦ ବିଭାଗ ପଚରାଉଚରା ଜାରି ରଖିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଉତ୍ତର ପ୍ରଦେଶ ସରକାର ସ୍ପେଶାଲ ସିକ୍ୟୁରିଟି ଫୋର୍ସ (ଏସ୍ଏସ୍ଏଫ୍)କୁ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ କରାଯାଇଛି । ଉକ୍ତ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ପରେ ରାମ ମନ୍ଦିରରେ ସୁରକ୍ଷାରେ ନିୟୋଜିତ କରାଯାଇଛି । ଏହା ପୂର୍ବରୁ ରାମଲାଲା ମନ୍ଦିର ସୁରକ୍ଷାରେ ସିଆରପିଏଫର ୬ ବାଟାଲିୟନ ଏବଂ ପିଏସିର ୧୨ କମ୍ପାନୀ ଫୋର୍ସକୁ ମୁତୟନ କରଯାଇଥିଲା ।