ଆସାମ: ୪୮ ଘଂଟା ବିତିଗଲାଣି, ୩ ଶହ ଫୁଟ ଗଭୀର କୋଇଲା ଖାଦାନରେ ଫଶି ରହିଛନ୍ତି ୮ ଶ୍ରମିକ । ସୋମବାର ଠାରୁ ଆସାମର ଡିମା ହସାଓ ଜିଲ୍ଲାରେ ଥିବା କୋଇଲା ଖଣିରେ ଶ୍ରମିକ ମାନେ ଫଶି ରହିଛନ୍ତି । ଅଚାନକ ଖଣିରେ ପାଣି ବଢିଯିବାରୁ ବାହାରି ପାରିନାହାନ୍ତି ଶ୍ରମିକ । ୯ ଜଣଙ୍କ ମଧ୍ୟରୁ ବୁଧବାର ସକାଳେ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏବେବି ଆହୁରି ୮ଜଣ ଖାଦାନରେ ଫଶି ରହିଛନ୍ତି ।
ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍, ସେନା ମଧ୍ୟ ନିୟୋଜିତ ହୋଇ ଲଗାତାର ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହାରି ଭିତରେ ବିଶାଖାପାଟଣାରୁ ନୌସେନାର ବୁଡାଳୀ ଆସି ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସେନା, ଆସାମ ରାଇଫଲ୍ସର ବିଶେଷଜ୍ଞ, ବୁଡାଳୀ, ଇଞ୍ଜିନିୟର, ମେଡିକାଲ ଟିମ୍ ଆବଶ୍ୟକୀୟ ଉପକରଣ ସହ ସେଠାରେ ଉପସ୍ଥିତ ରହିଛନ୍ତି ।
ତେବେ ଏହି କୋଇଲା ଖଣିଟି ବେଆଇନ୍ ଭାବେ ଚାଲିଥିବା ନେଇ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ଘଟଣାର ତଦନ୍ତ ପାଇଁ ମାଇନ୍ସ ଏବଂ ମିନେରାଲ୍ସ ଆଇନ, ୧୯୫୭ର ଧାରା ଅନୁଯାୟୀ ମାମଲା ରୁଜୁ କରାଯିବ ସହ ଏଥିରେ ସମ୍ପକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।