ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଥଣ୍ଡାରୁ ଲୋକଙ୍କୁ ଆଶ୍ୱସ୍ତି ଅନୁଭବ ହେଉନାହିଁ। ଉତ୍ତର ଭାରତରେ ଶୀତ ଲହରୀର ପ୍ରଭାବ ଗଭୀର ହେବାରେ ଲାଗିଛି। ହିମାଚଳ ପ୍ରଦେଶ ଏବଂ କଶ୍ମୀରର ଉଚ୍ଚତା ଅଞ୍ଚଳରେ ଲଗାତାର ତୁଷାରପାତ ଯୋଗୁଁ ସମତଳ ଅଞ୍ଚଳରେ ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ଶୀତ ଲହରୀର ପ୍ରଭାବ ଜାରି ରହିବ ଏବଂ ଜାନୁଆରୀ ୯-୧୦ରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଜାନୁଆରୀ ୧୧ ଓ ୧୨ ରେ ହାଲୁକା ବର୍ଷା ହୋଇପାରେ।
ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଉତ୍ତର ଭାରତକୁ ଥଣ୍ଡା ପବନ ଘେରି ଯାଇଛି। ମଧ୍ୟମରୁ ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ରହିଛି। ଘନ କୁହୁଡ଼ି ଯୋଗୁଁ ରାତିର ତାପମାତ୍ରାରେ ବିଶେଷ ହ୍ରାସ ଘଟିନଥିଲା। ତେବେ ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସିଆସିବାର ସମ୍ଭାବନା ରହିଛି। ସେହିପରି ଜାନୁଆରୀ ୧୦ରୁ ୧୨ ମଧ୍ୟରେ ସକ୍ରିୟ ପଶ୍ଚିମ ବିକ୍ଷୋଭ ଯୋଗୁଁ ଦିଲ୍ଲୀ ସମେତ ଉତ୍ତର ଭାରତରେ ବର୍ଷା ଓ ବଜ୍ରପାତ ହୋଇପାରେ।
ରାଜସ୍ଥାନରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ସିକରର ଫତେପୁରରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଜୟପୁର, ବିକାନେର ଓ ଭରତପୁର ଡିଭିଜନର ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ବେଳେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଜାନୁଆରୀ ୧୦ରୁ ୧୨ ମଧ୍ୟରେ ଏହି ସବୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ଫଳରେ ଥଣ୍ଡା ଆହୁରି ବଢିପାରେ।
ପଞ୍ଜାବ ଓ ହରିୟାଣାରେ ମଧ୍ୟ ଶୀତ ଲହରୀ ଜାରି ରହିଛି। ଘନ କୁହୁଡ଼ି ଯୋଗୁଁ ଅମୃତସରରେ ଦୃଶ୍ୟମାନତା ଶୂନକୁ ହ୍ରାସ ପାଇଥିବା ବେଳେ ଲୁଧିଆନା ଓ ପଟିଆଲାରେ ଏହା ୨୦ ଓ ୧୦ ମିଟରରେ ସୀମିତ ରହିଥିଲା। ହରିୟାଣାର କର୍ନାଲ ଓ ଅମ୍ବାଲାରେ ମଧ୍ୟ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି। ସଙ୍ଗରୁର ପଞ୍ଜାବର ସବୁଠାରୁ ଥଣ୍ଡା ସ୍ଥାନ ଥିଲା, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୬ ଡିଗ୍ରୀ କମ୍।
ଜାନୁଆରୀ ୯ରେ ଉତ୍ତରପ୍ରଦେଶରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ପଶ୍ଚିମ ବିକ୍ଷୋଭ ପ୍ରଭାବରେ ଜାନୁଆରୀ ୧୦ରୁ ୧୨ ମଧ୍ୟରେ ପଶ୍ଚିମ ୟୁପି, ପୂର୍ବାଂଚଳ, ବୁନ୍ଦେଲଖଣ୍ଡ ଏବଂ ଅବଧ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ଓ ସର୍ବୋଚ୍ଚ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ହୋଇପାରେ।
ଉତ୍ତର ଭାରତର ସମସ୍ତ ରାଜ୍ୟରେ ଥଣ୍ଡା ଓ କୁହୁଡ଼ିକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଗରମ ପୋଷାକ ପିନ୍ଧନ୍ତୁ, ହିଟର ବ୍ୟବହାର କରନ୍ତୁ ଏବଂ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରକୁ ବାହାରିବାରୁ ଦୂରେଇ ରୁହନ୍ତୁ। ଶୀତ ଲହରୀ ଓ କୁହୁଡ଼ି ର ପ୍ରଭାବ ସାଧାରଣ ଜନଜୀବନକୁ ବ୍ୟାହତ କରିପାରେ।
ଅଧିକ ପଢ଼ନ୍ତୁ: ମୃତକଙ୍କ ପରିବାରକୁ ଆଜି ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ