ୱାଶିଂଟନ୍: ୨୧୦୦ ସୁଦ୍ଧା ଭାରତ ଓ ଚୀନର ଜନସଂଖ୍ୟା ହ୍ରାସ ପାଇବ ବୋଲି କୋଟିପତି ଏଲନ୍ ମସ୍କ ଚିନ୍ତା ପ୍ରକଟ କରିଛନ୍ତି। ମସ୍କଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଗ୍ରାଫର ଚିତ୍ର ପୋଷ୍ଟ କରାଯାଇଛି ଯେଉଁଥିରେ ବିଶ୍ୱର ପ୍ରମୁଖ ଦେଶର ଜନସଂଖ୍ୟାରେ ସମ୍ଭାବ୍ୟ ପରିବର୍ତ୍ତନକୁ ଦର୍ଶାଯାଇଛି। ମସ୍କ ଏହାକୁ ମାନବିକତା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛନ୍ତି।
ଆକଳନ ଅନୁଯାୟୀ, ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୧ ବିଲିୟନ (୧୧୦ କୋଟି)ରୁ କମ୍ ହୋଇଯିବ। ଏହା ପ୍ରାୟ ୪୦୦ ନିୟୁତ (୪୦ କୋଟି) ଅଭାବକୁ ଦର୍ଶାଉଛି। ବର୍ତ୍ତମାନ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ ଭାରତର ଜନସଂଖ୍ୟାରେ ଏହି ହ୍ରାସ ଚିନ୍ତାଜନକ ହୋଇପାରେ।
ଚୀନର ଜନସଂଖ୍ୟା ମଧ୍ୟ ନାଟକୀୟ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ୨୧୦୦ ବେଳକୁ ଚୀନର ଜନସଂଖ୍ୟା ୭୩୧.୯ ନିୟୁତ (୭୩.୧୯ କୋଟି) ରେ ପହଞ୍ଚିପାରେ, ଯାହା କି ପ୍ରାୟ ୭୩୧ ନିୟୁତ ହ୍ରାସ ପାଇବ। ଏହା ଜନସଂଖ୍ୟାରେ ଏକ ବଡ଼ ହ୍ରାସକୁ ସୂଚାଇଥାଏ, ଯାହା ଦେଶର ସାମାଜିକ ଏବଂ ଅର୍ଥନୈତିକ ଢାଞ୍ଚାକୁ ପ୍ରଭାବିତ କରିପାରେ।
ଶତାବ୍ଦୀ ଶେଷ ବେଳକୁ ନାଇଜେରିଆର ଜନସଂଖ୍ୟା ୭୯୦.୧ ନିୟୁତ ହେବ ବୋଲି ଆକଳନ କରାଯାଇଛି, ଯାହା ଏହାକୁ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ଦେଶରେ ପରିଣତ କରିଛି। ଅପରପକ୍ଷରେ ଆମେରିକା ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ ହୋଇଥିବା ବେଳେ ଇଣ୍ଡୋନେସିଆ ଓ ପାକିସ୍ତାନରେ ଜନସଂଖ୍ୟା ସାମାନ୍ୟ ହ୍ରାସ ପାଇବ।
ଜନସଂଖ୍ୟା ହ୍ରାସର କାରଣ
-ପ୍ରଜନନ ହାର ହ୍ରାସ: ବିକଶିତ ଦେଶମାନଙ୍କରେ ପ୍ରଜନନ ହାର ହ୍ରାସ ପାଉଛି, ଯାହା ଜନସଂଖ୍ୟା ହ୍ରାସର ମୁଖ୍ୟ କାରଣ।
-ସ୍ଥାନାନ୍ତର: ଉନ୍ନତ ସୁଯୋଗ ସନ୍ଧାନରେ ଲୋକମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି, ଯାହା ଜନସଂଖ୍ୟା ଅସନ୍ତୁଳନ ସୃଷ୍ଟି କରୁଛି।
-ବୟସ୍କ ଜନସଂଖ୍ୟା: ଅନେକ ଦେଶରେ ଯୁବ ଜନସଂଖ୍ୟାର ଅଭାବ ଏବଂ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଜନସଂଖ୍ୟା ହ୍ରାସକୁ ତ୍ୱରାନ୍ୱିତ କରୁଛି।
ଅଧିକ ପଢ଼ନ୍ତୁ: କୁମ୍ଭମେଳା ପାଇଁ ଚାଲିବ ୧୩ ହଜାର ସ୍ୱତନ୍ତ୍ର ଟ୍ରେନ୍