ବେଙ୍ଗାଲୁରୁ: କେକର ସ୍ୱାଦ ବଢ଼ାଇବା ପାଇଁ ମିଶ୍ରଣ କରାଯାଉଥିବା ଏସେନ୍ସ (ଏକ ବାସ୍ନାଯୁକ୍ତ ତରଳ ପଦାର୍ଥ) କେତେ ଯେ ଭୟଙ୍କର ହୋଇପାରେ ତାହା କେହି କେବେ କଳ୍ପନା କରିପାରିବେ ନାହିଁ । ସେହି ଏସେନ୍ସ ଶେଷରେ ୩ ଜଣଙ୍କ ଜୀବନ ନେଇଛି । କର୍ଣ୍ଣାଟକର ମହୀଶୂର ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲରେ ସଜା କାଟୁଥିବା ୩ ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେକରେ ମିଶ୍ରଣ କରାଯାଉଥିବା ଏସେନ୍ସକୁ ପିଇବା ଦ୍ୱାରା ତିନି ଜଣ କଏଦୀ ଜୀବନ ହାରିଥିବା ଜଣାପଡ଼ିଛି ।
ଗତ ଡିସେମ୍ବର ୨୮ ତାରିଖରେ, ମହୀଶୂର ସେଣ୍ଟ୍ରାଲ୍ ଜେଲରେ ନୂଆ ବର୍ଷ ଉତ୍ସବ ପାଳନ କରିବାକୁ କେକ୍ ତିଆରି କରିବାକୁ ଏସେନ୍ସ ରଖାଯାଇଥିଲା । ସେଠାରେ କାମ କରୁଥିବା ୩ ଜଣ କଏଦୀ ନିଶା ପାଇଁ ସେହି ଏସେନ୍ସକୁ ପିଇ ଦେଇଥିଲେ । ଏହା ପରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜେଲ କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କୁ କେ. ଆର୍. ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ବୋଲି ଜେଲ୍ ଅଧିକାରୀ କହିଛନ୍ତି ।
ତେବେ ଆସନ୍ତୁ ଜାଣିବା କାହିଁକି କେକ୍ ଏସେନ୍ସ ହାନିକାରକ ହୋଇଥାଏ...
ଅଧିକମାତ୍ରାରେ କେକ୍ ଏସେନ୍ସ ସେବନ କଲେ ତାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । କାରଣ ସେଥିରେ ଆଲକୋହଲ୍ ଏବଂ କର୍କଟ ରୋଗ ସୃଷ୍ଟି କରୁଥିବା ତତ୍ତ୍ୱ ଥାଏ । ଏହାକୁ ଅଧିକ ସେବନ କଲେ ନିଶା ହୋଇଥାଏ, କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ନିଶ୍ୱାସ ପ୍ରଶ୍ୱାସ କଷ୍ଟ ଅନୁଭବ କରିବା, ମୁଣ୍ଡ ବୁଲାଇବା, ଚେତା ଶୂନ୍ୟ ହୋଇଯିବା ଏବଂ ଗଳା ଓ ଓଠ ଫୁଲି ଯିବା ଭଳି ସମସ୍ୟା ସୃଷ୍ଟି କରିଥାଏ । ଯାହାକି ମଣିଷର ଜୀବନ ନେଇଥାଏ ।
ତେବେ କେକରେ କିମ୍ବା କୌଣସି ଖାଦ୍ୟରେ ଏହାକୁ ଅଳ୍ପ ମାତ୍ରାରେ ମିଶ୍ରଣ କରି ଖାଇଲେ ତାହା କ୍ଷତିକାରକ ହୋଇ ନ ଥାଏ । କାରଣ କେକ୍ ପ୍ରସ୍ତୁତ ସମୟରେ ଆଲକୋହଲର ବାସ୍ନା ଚାଲି ଯାଇଥାଏ । ତେଣୁ ଏସେନ୍ସ କେକରେ ମିଶାଇ ଖାଇହେବ ବୋଲି ବିଶେଷଜ୍ଞମାନେ କୁହନ୍ତି ।
ସିନ୍ଥେଟିକ୍ ଭ୍ୟାନିଲା ଫ୍ଲେବର୍ କମ୍ ଖାଇବା ଉଚିତ୍ । କାରଣ ତାହା କୃତ୍ରିମ ଭାବରେ ରାସାୟନିକ ପଦାର୍ଥ ଦେଇ ପ୍ରସ୍ତୁତ କରାଯାଇଥାଏ । ଯାହାକି ଭ୍ୟାନିଲାର ସ୍ୱାଦ ଦେଇଥାଏ । ଏହାକୁ ଖାଇଲେ ବେଳେ ମୁଣ୍ଡ ବିନ୍ଧା ଏବଂ ଏଲର୍ଜି ଭଳି ସମସ୍ୟା ସୃଷ୍ଟି କରିଥାଏ ।