ଜଗତସିଂହପୁର : ଛେଳି ଚୋର ସନ୍ଦେହରେ ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ଦୁଇ ଜଣ ଯୁବକଙ୍କୁ ଛେଳି ଚୋର ସନ୍ଦେହରେ ଅଟକାଇବା ସହ ଲଣ୍ଡା କରି ବେକରେ ଚପଲ ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇବା ଭଳି ଅମାନବୀୟ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବାରେଡିଆ ଗାଁ ଓ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ରହମ୍ବା ଗ୍ରାମକୁ ସଂଯୋଗ କରୁଥିବା ପୋଲ ନିକଟରେ ଘଟିଛି। ଅଭିଯୋଗ ମୁତାବକ ଗତ ଡିସେମ୍ବର ୨୭ ତାରିଖ ଦିନ ଓଲଟପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ବିକ୍ରମ ଭୋଇ ଓ ଦିନେଶ ଭୋଇ ସିମାଲଦା ଗାଁ କୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ବାଟରେ ଛେଳି ଚୋରି କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଛେଳି ଚୋର କହି ଚିତ୍କାର କରିଥିଲେ। ଫଳରେ ରହମ୍ବା, ବାରେଡ଼ିଆ , ବାଉବାରାଇ ଗାଁ ର ଲୋକ ମାନେ ଏକତ୍ରିତ ହୋଇ ଅଟୋ ଚାଳକ ବିକ୍ରମ ଓ ତାର ସାଙ୍ଗ ଦିନେଶ କୁ ଅଟକ ରଖି ତାଙ୍କର ହାତବାନ୍ଧି ଲଣ୍ଡା କରିଥିଲେ। ପରେ ବେକରେ ଚପଲ ମାଳ ପକାଇ ନିସ୍ତୁକ ମାଡ଼ ଦେଇଥିଲେ। ପରବର୍ତ୍ତୀ ସମୟରେ ଗୋବିନ୍ଦ ପୁର ପୋଲିସ ସହାୟତାରେ ଉଭୟ ପୀଡ଼ିତ ଙ୍କୁ ଉଦ୍ଧାର କରାଯିବ ସହିତ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ୧ ତାରିଖ ଦିନ ପୀଡ଼ିତ ବିକ୍ରମ ଭୋଇଙ୍କ ବାପା ଯୁଧିଷ୍ଠୀର ଭୋଇ ବିରିଡ଼ି ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତି କରି ବିରିଡ଼ି ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି। ବାକି କିଛି ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ଏଭଳି ଅମାନବୀୟ କାଣ୍ଡ ଘଟାଇ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଜିଲ୍ଲା ପୋଲିସ ଏସପି କହିଛନ୍ତି ।