ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପନୀ ସମାରୋହରେ ଯୋଗ ଦେବେ ମହାମହିମ ।
ଉଦଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିବେ । ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ ‘ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ’ ଉପରେ ଆଲୋଚନା ହେବ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ଦିଲ୍ଲୀ ଫେରିଯିବେ ।
ପ୍ରବାସୀ ଭରାତୀୟ ଦିବସ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦିଲ୍ଲୀ ଫେରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନସ୍ଥଳୀ, ଐତିହ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହା ସହିତ ବିଶ୍ୱରେ ଶାନ୍ତିର ବାର୍ତ୍ତା ପହଁଚାଇବା ପାଇ ‘ଭବିଷ୍ୟତ ପାଇଁ ଯୁଦ୍ଧ ନୁହେଁ ବରଂ ବୁଦ୍ଧ’ ନୀତି ଆପଣାଇବାକୁ ଆହ୍ୱାନ କରିଥିଲେ । ଏହା ସହିତ ଯେଉଁଠାରେ ରହୁଛନ୍ତି ସେହିଠାରେ ନିଜ ମାଆଙ୍କ ନାମରେ ଗୋଟାଏ ଗଛ ଲଗାଇବାକୁ ପ୍ରବାସୀ ଭାରତୀୟଙ୍କୁ ପରାମର୍ଶ ଦେଇଥିଲେ ।