ନାଗପୁର: ରାତିରେ ସାଙ୍ଗସାଥୀ ପ୍ରିୟଜନଙ୍କ ଗହଣରେ ପାଳିଲେ ୨୬ତମ ବିବାହ ବାର୍ଷିକ ଦିନ । ଘଣ୍ଟାରେ ଯେତେବେଳେ ଠିକ୍ ରାତି ୧୨ଟା ବାଜିଲା ଆରମ୍ଭ ହେଲା ସେଲିବ୍ରେସନ୍ । କେକ୍ କାଟି ପରସ୍ପରକୁ ଖୁଆଇ ଜଣେ ଅନ୍ୟ ଜଣକୁ ଶୁଭେଚ୍ଛା ଜଣାଇଲେ ଦମ୍ପତ୍ତି । ସବୁ କିଛି ଖୁସିରେ ହେଲା । କିନ୍ତୁ ସକାଳୁ ମିଳିଲା ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ । ନିଜର ବାହା ଶାଢ଼ୀ ପିନ୍ଧି ସ୍ତ୍ରୀ ଶୋଇଥିଲା ଘର ଡ୍ରଇଁ ରୁମରେ ଆଉ ଦେହରେ ପଡ଼ିଥିଲା ଫୁଲ । ସେପଟେ ରୋଷେଇ ଘରେ ଝୁଲୁଥିଲା ସ୍ୱାମୀଙ୍କ ମୃତ ଦେହ । ଏଭିଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରର ଜରିପଟ୍କା ଥାନା ଅଞ୍ଚଳରେ । ମୃତ ଦମ୍ପତ୍ତି ହେଲେ ଜରିଲ୍ ଡାମସନ୍ ଓସ୍କାର ମନକ୍ରିଫ୍ (୫୭ ) ଏବଂ ତାଙ୍କ ପତ୍ନୀ ଆନେ (୪୬ ) ।
ଜରିଲ୍ ଡାମସନ୍ ଓ ଆନେ ଦୀର୍ଘ ୨୬ ବର୍ଷ ହେବ ସାଥୀ ହୋଇଥିଲେ । ତାଙ୍କର କୌଣସି ସନ୍ତାନ ନ ଥିଲା । ମଙ୍ଗଳବାର ଦିନ ତାଙ୍କର ବିବାହକୁ ୨୬ ବର୍ଷ ପୂରଣ ହୋଇଥିଲା । ସେଥିପାଇଁ ସୋମବାର ମଧ୍ୟରାତ୍ରରେ ନିଜର ବିବାହ ବାର୍ଷିକ ଉତ୍ସବ ପାଳନ କରିଥିଲେ । ରାତି ୧୨ ଟାରେ କେକ୍ କାଟିବା ସହିତ ଭୋଜି ଭାତ ମଧ୍ୟ ହୋଇଥିଲା । ଏହା ପରେ ସମସ୍ତ ଚାଲିଯାଇଥିଲେ ।
କିନ୍ତୁ ମଙ୍ଗଳବାର ଭୋର ୫.୪୭ ମିନିଟରେ ତାଙ୍କର ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିଥିଲେ । ସେଥିରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜର ଶେଷ ଇଚ୍ଛା ବିଷୟରେ କହିଥିଲେ । ଯାହାକୁ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ତୁରନ୍ତ ଆଖପାଖରେ ରହୁଥିବା ପଡ଼ୋଶୀଙ୍କୁ ଖବର ଦେଇଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ଆସିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା ।
ପୋଲିସ କବାଟ ଭାଙ୍ଗି ଘରେ ଭିତରେ ପଶିଥିଲା । ଆନେ ତଳେ ପଡ଼ିଥିବାବେଳେ ମନକ୍ରିଫ୍ ଙ୍କୁ ଝୁଲନ୍ତା ଅବସ୍ଥାରେ ରୋଷେଇ ଘରେ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରୁ ୨ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ କରାଯାଇଥିବାବେଳେ ଏକ ଖାଲି ଷ୍ଟାମ୍ପ୍ ପେପର୍ ମଧ୍ୟ ଜବତ କରିଛି ପୋଲିସ । ଜରିପଟ୍କା ଥାନା ଅଧିକାରୀ ଅରୁଣ ଶ୍ରୀଶାନ୍ତଙ୍କ ମୁତାବକ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି ଯେ ଏହା ଏକ ଆତ୍ମହତ୍ୟା ଘଟଣା । ତେବେ ଉଭୟ ମୃତ୍ୟୁର କାହାଣୀ ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ଯେପରି ଲାଗୁଥିଲା ଯେଉଁଦିନ ପରସ୍ପରର ହାତ ଧରିଥିଲେ ସେହିଦିନ ହିଁ ପରସ୍ପରର ହାତ ଧରି ଆରପାରି ଯିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ପୋଲିସ କହିଛି ପ୍ରଥମେ ସ୍ତ୍ରୀର ମୃତ୍ୟୁ ହେବା ପରେ ସ୍ୱାମୀର ଆତ୍ମହତ୍ୟା କରିଛନ୍ତି । ସ୍ତ୍ରୀର ତାଙ୍କର ବାହା ଶାଢ଼ୀ ପିନ୍ଧିଥିଲେ , ଯେଉଁଟା ସେ ବିବାହ ଦିନ ପିନ୍ଧି ଥିଲେ । ଏହା ସହିତ ତାଙ୍କ ଉପରେ ଫୁଲ ବିଛା ଯାଇଥିଲା । ସ୍ୱାମୀ ନିଜ ସ୍ତ୍ରୀକୁ ଭଲ ଭାବେ କପଡ଼ାରେ ଘୋଡ଼ାଇବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।
ତେବେ ସେମାନଙ୍କ ଇଚ୍ଛା ମୁତାବକ, ସେମାନଙ୍କ ପାଇଁ ଗୋଟିଏ କଫିନ୍ ତିଆରି କରାଯାଇଥିଲା । ପରସ୍ପରର ହାତକୁ ଛନ୍ଦି ସେମାନଙ୍କୁ କଫିନ୍ ଦିଆଯାଇଥିଲା । ଆନେ ଏବଂ ଜରିଲ ନିଜର ଶେଷ ଭିଡ଼ିଓରେ ପ୍ରିୟଜନଙ୍କୁ ନିଜର ପିଲାଙ୍କର ଯତ୍ନ ନେବାକୁ କହିଛନ୍ତି ।
ଜରିଲ ପୂର୍ବରୁ ବିଭିନ୍ନ ନାମୀଦାମୀ ହୋଟେଲରେ ରୋଷେୟା ଭାବରେ କାମ କରୁଥିଲେ । କୋଭିଡ଼ ମହାମାରୀ ସମୟରେ ସେ ଚାକିରି ଛାଡ଼ି ଘରକୁ ଆସିଥିଲେ । ଏହା ପରେ ସେ ଆଉ ଚାକିରିକୁ ଫେରି ନ ଥିଲେ । ନିଜ ଟଙ୍କାକୁ ଋଣ ଦେଇଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଗୃହିଣୀ ଥିଲେ । ତେବେ ସେମାନେ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହା ଜଣାପଡ଼ି ନ ଥିବାବେଳେ ଏ ଖବର ପାଇବା ପରେ ସମ୍ପର୍କୀୟମାନେ ସ୍ତବ୍ଧ ହୋଇଯାଇଛନ୍ତି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।