ଭୁବନେଶ୍ୱର : ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୧୦ଟାରେ ଜନତା ମୈଦାନରେ ୪ଟି ପ୍ରଦର୍ଶନୀର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବାସୀ ଭାରତୀୟ ଏକ୍ସପ୍ରେସର ରିମୋଟ୍ ମାଧ୍ୟମରେ ଶୁଭାରମ୍ଭ ଏବଂ ପ୍ରମୋସନାଲ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।
ସେହିପରି ଆସନ୍ତା କାଲି ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର କଳା, ସଂସ୍କୃତି ତଥା ଖାଦ୍ୟର ମଜା ନେବେ ଅତିଥି । ସେପଟେ ପ୍ରବାସୀ ମଧ୍ୟରେ ସଂପର୍କର ସେତୁ ଯୋଡିବ ଏହି କାର୍ଯ୍ୟକ୍ରମ। ଅର୍ଥନୈତିକ ଦୃଷ୍ଟିରୁ ପ୍ରବାସୀ ସମ୍ମିଳନୀ ରାଜ୍ୟକୁ ସମୃଦ୍ଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପାଇଁ ରାଜଧାନୀବାସୀ ନିଜ ଘର ସାମ୍ନାକୁ ସଜେଇବା ପାଇଁ ନିବେଦନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ତେବେ ପ୍ରବାସୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସଂଗ୍ରହାଳୟରେ ହୋଇଛି ସ୍ବତନ୍ତ୍ର ଵ୍ୟଵସ୍ଥା।