ନୂଆଦିଲ୍ଲୀ : ସରିଲା ଅପେକ୍ଷା, ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ରହିଛି ଭୋଟ୍ ଗଣତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୨୩ରେ ସରୁଛି ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ।
ନୂଆବର୍ଷ ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ହେବ ମତଦାନ । ୭୦ଟି ବିଧାନସଭା ଆସନରେ ହେବ ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ଜାନୁୟାରୀ ୧୦ରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଜାନୁୟାରୀ ୧୭ରୁ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁୟାରୀ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ତେବେ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଅପ୍ରିଲ କଲେ ମୁଖ୍ୟ ନିର୍ବାଚନ କମିଶନର ।
ଦିଲ୍ଲୀରେ ମୋଟ ଭୋଟର ସଂଖ୍ୟା ରହିଛି ୧କୋଟି ୫୫ ଲକ୍ଷ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ ଲକ୍ଷ ୪୯ ହଜାର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୭୧ ଲକ୍ଷ ୭୩ ହଜାର । ଦିଲ୍ଲୀରେ ୨୫ ଲକ୍ଷ ୮୯ ହଜାର ଯୁବ ଭୋଟର ରହିଥିବା ବେଳେ ପ୍ରଥମଥର ପାଇଁ ଭୋଟ୍ ଦେବେ ୨ ଲକ୍ଷ ୮ ହଜାର ଜଣ ।
ତେବେ ତାରିଖ ଘୋଷଣା ପୂର୍ବରୁ ୨୦୨୪ ନିର୍ବାଚନରେ ଆସିଥିବା ଅଭିଯୋଗ ସମ୍ପର୍କରେ କହିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଇଭିଏମ, ଓ ସନ୍ଧ୍ୟାରେ ଭୋଟ ପ୍ରତିଶତ ବଢିବା ଆଦି ଅଭିଯୋଗ ହୋଇଥିଲା । ହେଲେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଥିଲା, ଏହାର ପ୍ରମାଣ ମିଳିସାରିଛି । ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନରେ ଭିନ୍ନ ଦଳକୁ ସଫଳତା ମିଳିଛି । ଏହି ବିବିଧତା ଫଳାଫଳ ପ୍ରମାଣ କରୁଛି, ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଥିଲା । ସେହିପରି ଇଭିଏମକୁ ନେଇ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା କୋର୍ଟ ମଧ୍ୟ ଖଣ୍ଡନ କରିଥିବା କହିଛନ୍ତି ରାଜୀବ କୁମାର ।