ଭୁବନେଶ୍ୱର: କାୟା ମେଲାଉଛି ‘HMPV’ ଭୂତାଣୁ । ସୋମବାର ୬ ଜାନୁୟାରୀରେ ଦେଶରେ ୬ଜଣ ସଂକ୍ରମିତ ହୋଇଥିବା ବେଳେ ଆଜି ୭ ଜାନୁୟାରୀରେ ମହାରାଷ୍ଟ୍ରର ନାଗପୁରରୁ ୨ ଆକ୍ରାନ୍ତ୍ର ଚିହ୍ନଟ ହୋଇଛନ୍ତି । ଯାହା ଦେଶ ପାଇଁ ଚିନ୍ତା ବଢାଇଛି । ସେପଟେ ଭାଇରସ୍ ବ୍ୟାପୁଥିବା ହେତୁ ରାଜ୍ୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୈଠକରେ ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ବୈଠକ ପରେ ଓଡ଼ିଶାବାସୀଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପଜିଟିଭ୍ ଚିହ୍ନଟ ହୋଇନାହିଁ । ଆଗକୁ କେନ୍ଦ୍ର ସରକାରଙ୍କ ଯାହା ଗାଇଡ଼ଲାଇନ୍ ଆସିବ, ତାହା ପାଳନ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଗୁଆ ପଦକ୍ଷେପକୁ ଦୃଷ୍ଟିରେ ରଖି ରାଜ୍ୟରେ ସବୁ ମେଡିକାଲ କଲେଜ ସହ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ କଥା ହୋଇଥିବା କହିଛନ୍ତି । ଯଦି କିଛି ସମସ୍ୟା ଦେଖାଯିବ, ତେବେ କେନ୍ଦ୍ର ଓ ରାଜ୍ୟ ମିଳିତ ମୁକାବିଲ କରିବ । ସେହିପରି ଯେଉଁମାନଙ୍କୁ ଥଣ୍ଡା, ଜ୍ୱର, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
ଦେଶରେ ଆକ୍ରାନ୍ତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ହେତୁ ଏଥିପାଇଁ ସର୍ଭେଲାନ୍ସ ବଢାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ରାଜ୍ୟ ମାନଙ୍କୁ ସଚେତନ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛି । ସେହିପରି ଜନଗହଳି ସ୍ଥାନକୁ ନ ଯିବା ପାଇଁ ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।
HMPVର ଲକ୍ଷଣ କ’ଣ ?
- ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ର ସାଧାରଣ ଥଣ୍ଡା ଭଳି ଲକ୍ଷଣ
- କାଶ, ଝାଡ଼ାବାନ୍ତି, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ
- ଛୋଟ ପିଲା ଓ ବୟସ୍କଙ୍କ ପାଇଁ HMPV ମାରାତ୍ମକ ଆଶଙ୍କା
- ୨୦୦୧ ମସିହାରେ HMPV ଆବିଷ୍କୃତ ହୋଇଥିବା ଆମେରିକାର ଦାବି
- HMPV ସଂକ୍ରମଣର ଲକ୍ଷଣ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆରେ ପରିଣତ ହୋଇପାରେ