ତାମିଲନାଡ଼ୁ: ରାଗିଗଲେ ରାଜ୍ୟପାଳ। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଥିବା ଦେଖି ତାମିଲନାଡୁର ରାଜ୍ୟପାଳ ଆର୍ଏନ୍ ରବି ରାଗି ଯାଇଛନ୍ତି। ରାଗରେ ତମତମ ହୋଇ ସେ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କରିଦେଇଛନ୍ତି । ଏପରିକି ଗୃହ ଛାଡ଼ି ସେଠାରୁ ମଧ୍ୟ ପଳାଇଛନ୍ତି। ସୋମବାର ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି କିଛି ଏଭଳି ହାଇ ଭୋଲଟେଜ ଡ୍ରାମା।
ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ, ରାଜ୍ୟପାଳ ଆର.ଏନ ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା। ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ଆର୍ଏନ୍ ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ। ତେବେ ତାଙ୍କର ଏହି ଦାବିକୁ ଗ୍ରହଣ କରାଯାଇନଥିଲା। ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। ଏଥିପାଇଁ ରାଗି ଯାଇଥିଲେ ରାଜ୍ୟପାଳ। ସେ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନ କରି କକ୍ଷ ତ୍ୟାଗ କରିଥିଲେ।
ଏ ସମଗ୍ର ବିବାଦ ଉପରେ ତାମିଲନାଡୁ ରାଜଭବନ ତରଫରୁ ଏକ ବିବୃତ୍ତି ଜାରି ହୋଇଛି। ରାଜ ଭବନ ତରଫରୁ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ 'ଭାରତର ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ପୁଣି ଥରେ ଅପମାନିତ ହୋଇଛି। ସମ୍ବିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବାରୁ ସେ ରାଗରେ କକ୍ଷତ୍ୟାଗ କରିଛନ୍ତି ।